ଗ୍ରାହକଙ୍କ ଅନୁରୋଧ କ୍ରମେ ଲକଡାଉନ ମଧ୍ୟରେ ଆରମ୍ଭ ହେବ ‘ମୋ ସାଇକେଲ’ ସେବା

ଭୁବନେଶ୍ୱର: ଲକ୍‌ଡାଉନ୍‌ କଟକଣା ଯୋଗୁଁ ପ୍ରଭାବିତ ହୋଇଛି ‘ମୋ ସାଇକେଲ’ ଭଳି ସେବା । କ୍ରୁଟ୍‌ ପକ୍ଷରୁ ସ୍ମାର୍ଟ ସିଟିରେ ଚାଲିଥିବା ଏହି ସେବା ଦିର୍ଘ ଦୁଇ ମାସ ଧରି ବାଧାପ୍ରାପ୍ତ ହୋଇଛି । ରାଜଧାନୀବାସୀଙ୍କ ଦ୍ଵାରା ବେଶ୍‌ ଆଦୃତ ହୋଇଥିବା ଏହି ସେବାପୁଣି ଆରମ୍ଭ କରିବାକୁ ଯାଉଛି କ୍ରୁଟ୍‌ । ଏନେଇ ସରକାରୀ ଅନୁମତି ମିଳିସାରିଛି। ୟୁଲୁ ଓ ୟୁନା ଭଳି ଦୁଇଟି ଅପରେଟରଙ୍କ ସହଯୋଗରେ ଆରମ୍ଭ ହୋଇଛି ପ୍ରସ୍ତୁତି । ପ୍ରଥମ ପର୍ଯ୍ୟାୟରେ ୧୮ଟି ଜୋନ୍‌ରେ ୫୦ଟି ପବ୍ଲିକ୍‌ ବାଇକ୍‌ ଷ୍ଟେସନ୍‌ରୁ ଗଡିବ ୩ଶହ ମୋ ସାଇକେଲ ।

ଲକ୍‌ଡାଉନ୍‌ ପାଇଁ ଦୁଇ ମାସ ଧରି ବନ୍ଦ ରହିଥିବା ‘ମୋ ସାଇକେଲ ସେବା’ ପୁଣି ଆରମ୍ଭ ହୋଇଛି । ସରକାରୀ ଅନୁମତି ମିଳିବା ପରେ କ୍ରୁଟ୍‌ ପକ୍ଷରୁ ପୁଣି ଆରମ୍ଭ ହେବାକୁ ଯାଉଛି ଏହି ସେବା । ଆସନ୍ତା ୧୮ ତାରିଖ ସୋମବାର ଠାରୁ ଏହି ସେବା ରାଜଧାନୀରେ ଉପଲବ୍ଧ ହେବ । ପ୍ରଥମ ପର୍ଯ୍ୟାୟରେ ୩ଶହ ସାଇକେଲ ଗଡିବାକୁ ଥିବା ବେଳେ ଜୁନ୍‌ ଶେଷ ପର୍ଯ୍ୟନ୍ତ ଗ୍ରାହକଙ୍କ ପାଇଁ କ୍ରୁଟ୍‌ ପକ୍ଷରୁ ରହିଛି ଆକର୍ଷଣୀୟ ଅଫ୍‌ର ।

ଦୀର୍ଘ ଦିନ ଧରି କାର୍ଯ୍ୟକ୍ଷମ ନହୋଇ ରାସ୍ତାଡ଼ରେ ପଡିରହିଥିଲା ପ୍ରାୟ ୨ହଜାର ମୋ ସାଇକେଲ । ନିୟମିତ ତଦାରଖ ଓ ମରାମତିର ଅଭାବ ଯୋଗୁଁ ଅନେକ ଖରାପ ମଧ୍ୟ ହୋଇଯାଇଛି। ସେସବୁକୁ ସଜାଡିବା କାର୍ଯ୍ୟ ଆରମ୍ଭ ହୋଇଛି । ସେପଟେ ସାନିଟାଇଜେସନ୍‌ ଉପରେ ଗୁରୁତ୍ୱ ଦିଆଯାଉଛି । ଆପ୍‌ ଜରିଆରେ ମଧ୍ୟ ସାଇକେଲ ଚଲାଇବା ପୂର୍ବରୁ ଉକ୍ତ ସାଇକେଲର ବ୍ୟବହାର ଏବଂ ସାନିଟାଇଜେସନ୍‌ ସମ୍ପର୍କରେ ମିଳିବ ସୂଚନା। ଲକ୍‌ଡାଉନ୍‌ ଅବଧି ବଢିବାକୁ ଥିବାବେଳେ ଲୋକଙ୍କ ପାଇଁ ଏହି ସେବା ବେଶ୍‌ ସହାୟକ ହେବ ବୋଲି ଆଶା କରାଯାଉଛି ।

 

Leave a Reply