ପଶ୍ଚିମବଙ୍ଗର ‘ମତୁଆ’ ରାଜନୀତି, ୭ ମାସ ପରେ କାହା ପକ୍ଷକୁ ଯିବ ସମ୍ପ୍ରଦାୟ … ଜାଣନ୍ତୁ

1 min read

କୋଲକତା: ସାତ ମାସ ପରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ଶାସକ ତୃଣମୂଳ କଂଗ୍ରେସ , ବିଜେପି, କଂଗ୍ରେସ, ବାମଦଳ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ହେଲେ ଏଥର ମୁଖ୍ୟ ଲଢେଇ ତୃଣମୂଳ କଂଗ୍ରେସ ଏବଂ ଭାଜପା ମଧ୍ୟରେ ହେବ । ତେଣୁ ଏହି ୨ ଦଳ ନିର୍ବାଚନକୁ ନେଇ ଅଧିକ ସକ୍ରିୟତା ଦେଖାଇଲେଣି । ନିର୍ବାଚନ ପାଖେଇବା ପରେ ମତୁଆ ସମ୍ପ୍ରଦାୟକୁ ନିଜ ଆଡକୁ ନେବା ପାଇଁ ରାଜନୀତି ଜୋର ଧରିଛି ।

ପ୍ରଣବ ମୁର୍ଖାଜୀଙ୍କୁ ଭାରତ ରତ୍ନ ଦେବା ହେଉ କି ଚିଟଫଣ୍ଡ ଦୋଷୀ ମୁକୁଲ ରାୟଙ୍କୁ ଦଳକୁ ଆଣିବା । ବେଙ୍ଗଲରେ ନିଜ ଉପସ୍ଥିତ ଜାହିର କରିବା ପାଇଁ ବିଜେପି ସମସ୍ତ ରଣକୌଶଳ ପ୍ରୟୋଗ କରିଛି । ଗତ ୨୦୧୯ ସାଧାରଣ ନିର୍ବାଚନରେ ଏହି ମତୁଆ ସମ୍ପ୍ରଦାୟର ଭୋଟ୍ ହାତେଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ୧୦୦ ବର୍ଷର ପୁରୁଣା ମଠକୁ ଗସ୍ତ କରିଥିଲେ । ମଠଟି ମତୁଆ ସମ୍ପ୍ରଦାୟର ଏକ ପ୍ରାଚୀନ ପରିଚୟ ବୋଲି ଧରାଯାଏ । ଏହିଠାରେ ରହୁଥିବା ବୀଣାପାଣି ଦେବୀଙ୍କୁ ଭେଟି ମୋଦି ତାଙ୍କ ଆର୍ଶୀବାଦ ନେଇଥିଲେ । ଏପରିକି ବୋଙ୍ଗନ ଲୋକସଭା କ୍ଷେତ୍ରରୁ ବୀଣାପାଣି ଦେବୀଙ୍କ ନାତି ଶାନ୍ତନୁ ଠାକୁରଙ୍କୁ ଛିଡା କରିଥିଲା । ଏଥିରେ ଶାନ୍ତନୁ ବିଜୟୀ ମଧ୍ୟ ହୋଇଥିଲେ । ପ୍ରଥମଥର ପାଇଁ ବିଜେପି ଏହି ଆସନରେ ଖାତା ଖୋଲିଥିଲା । ହେଲେ ବର୍ତ୍ତମାନ ସ୍ଥିତିରେ ଏହି ଯୁବ ନେତାଙ୍କ ସହ ବିଜେପିର ଶୀର୍ଷ ନେତୃତ୍ୱ ଭଲ ସମ୍ପର୍କ ନାହିଁ । ସେହିଭଳି ସିଏଏ ଆଇନକୁ ନେଇ ମଧ୍ୟ ବିବାଦ ରହିଛି ।

ପୂର୍ବ ପାକିସ୍ତାନ ତଥା ବାଲାଂଦେଶରୁ ଆସିଥିବା ଏହି ସମ୍ପ୍ରଦାୟଙ୍କୁ ମନାଇବା ପାଇଁ ମମତା ବାନାର୍ଜୀ ମଧ୍ୟ କୌଣସି ସୁଯୋଗ ହାତଛଡା କରିନାହାନ୍ତି । ମତୁଆ ବିକାଶ ବୋର୍ଡ ଏବଂ ନାମଶୁଦ୍ର ବିକାଶ ବୋର୍ଡ ଗଠନ କରିଥିଲେ । ଏହି ସମ୍ପ୍ରଦାୟର ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରିବା ପାଇଁ ଯଥାକ୍ରମେ ୧୦ କୋଟି ଏବଂ ୫ କୋଟି ଟଙ୍କାର ଅର୍ଥରାଶି ନିକଟରେ ପ୍ରଦାନ କରାଯାଇଛି । ସେହିପରି ୨୫,୦୦୦ ଅଧିବାସୀଙ୍କୁ ଭୂମି ଅଧିକାର ଦିଆଯାଇଛି ।

ମତୁଆ ସମ୍ପ୍ରଦାୟ ଓ ଇତିହାସ

ହରିଶ୍ଚନ୍ଦ୍ର ଠାକରୁ ମତୁଆ ସମ୍ପ୍ରଦାୟର ସ୍ଥାପନା କରିଥିଲେ । ନର୍ଥ ୨୪ ପ୍ରଗଣାର ଠାକୁର ପରିବାର ସହ ରାଜନୀତିର ପୁରୁଣା ସମ୍ପର୍କ ରହିଛି । ହରିଶ୍ଚନ୍ଦ୍ରଙ୍କ ବଂଶଧର ପ୍ରଥମ ରଞ୍ଜନ ଠାକୁର କଂଗ୍ରେସ ସଦସ୍ୟ ଭାବେ ୧୯୬୨ରେ କଂଗ୍ରେସ ଏମପି ହୋଇଥିଲେ । ୧୯୩୩ ମସିହାରେ ପ୍ରଥମଙ୍କ ବିବାଗ ବୀଣାପାଣି ଦେବୀଙ୍କ ସହ ହୋଇଥିଲା ।  ଏହି ବୀଣାପାଣି ଦେବୀ ହିଁ ମତୁଆ ମାତା ତଥା ବଡ଼ ମାତା ରୂପେ ପରିଚିତ । ବୀଣାପାଣିଙ୍କ ବଂଶଧର ୧୯୧୮ ମସିହାରେ ଅବିଭକ୍ତ ବଙ୍ଗର ଆରିସୋଲ ଜିଲାରୁ ଆସିଥିଲେ । ସ୍ୱାଧୀନତା ଆନ୍ଦୋଳନ ପରେ ତାଙ୍କ ପରିବାର ପଶ୍ଚିମ ବଙ୍ଗ ପଳାଇ ଆସିଥିଲେ । ତେଣୁ ବୀଣାପାଣି ଦେବୀଙ୍କ ପ୍ରଭାବ ସାରା ମତୁଆ ସମାଜ ଉପରେ ପଡିଲା । ଏହାକୁ ବ୍ୟବହାର କରି ସମୟ ସମୟରେ ଏହି ସମ୍ପ୍ରଦାୟର ଲୋକ ରାଜନୀତି କରିବାକୁ ଲାଗିଲେ ।

ସେହିପରି ନାମସୂଦ୍ର ସମ୍ପ୍ରଦାୟର ଶରଣାର୍ଥୀଙ୍କୁ ଆଶ୍ରୟ ଦେବା ପାଇଁ ବାଲାଂଦେଶ-ଭାରତ ସୀମାରେ ଶିବିର କରିଥିଲେ ବୀଣାପାଣି ଦେବୀ । ପ୍ରଥମ ରଞ୍ଜନ ଠାକୁର ୧୯୯୦ରେ ମୃତ୍ୟୁ ବରଣ କରିଥିଲେ । ଗତ ବର୍ଷ ମାର୍ଚ୍ଚ ମାସ ୫ରେ ଏହି ବୀଣାପାଣି ଦେବୀଙ୍କ ନିଧନ ହୋଇଯାଇଥିଲା । ଏହି ବୀଣାପାଣି ଦେବୀଙ୍କ ଅନ୍ତିମ ସଂସ୍କାର ପୂର୍ଣ୍ଣ ମର୍ଯ୍ୟାଦର ସହ ସମ୍ପନ୍ନ କରାଯାଇଥିଲା ।

୨୦୧୦ରୁ ହୋଇଥିଲେ ମମତାଙ୍କ ନିକଟତର

୧୫ ମାର୍ଚ୍ଚ ୨୦୧୦ରେ ମମତା ବାନାର୍ଜୀଙ୍କୁ ମତୁଆ ସମ୍ପ୍ରଦାୟର ସଂରକ୍ଷକ ଭାବେ ଘୋଷଣା କରଯାଇଥିଲା । ଏହି ସମୟରୁ ବୀଣାପାଣି ଦେବୀ ମତୁଆ ସମ୍ପ୍ରଦାୟର ନିକଟତର ହୋଇଥିଲେ ।  ଏହାର ପର ବର୍ଷରେ ୨୦୧୧ରେ ବାମ ମେଣ୍ଟ ବିରୋଧୀ ହାୱାର ଫାଇଦା ନେଇ ମମତା ନିର୍ବାଚନ ଜିତିଥିଲେ । ଏହି ନିର୍ବାଚନରେ ମତୁଆ ସମ୍ପ୍ରଦାୟ ପୂର୍ଣ୍ଣ ଭାବେ ମମତାଙ୍କୁ ସମର୍ଥନ ଦେଇଥିଲେ । ୨୦୧୪ରେ ତାଙ୍କ ବଡ ପୁଅ କପିଳ କୃଷ୍ଣ ଲୋକ ସଭା ନିର୍ବାଚନରେ ଟିଏମସି ପକ୍ଷରୁ ଲଢିଥିଲେ । ହେଲେ ୨୦୧୫ରେ ତାଙ୍କର ମୃତ୍ୟୁ ହୋଇଥିଲା । ଏଠାରେ ହୋଇଥିବା ଉପନିର୍ବାଚନରେ ତାଙ୍କ ପତ୍ନୀ ମମତା ବାଲା ଠାକରୁ ନିର୍ବାଚନ ଲଢିଥିଲେ । ହେଲେ ମତୁଆ ମାତା ଙ୍କ ବିୟୋଗ ପରେ ଏହି ପରିବାର ବିଭାଜନ ଆରମ୍ଭ ହୋଇ ଯାଇଥିଲା ।

 

 

Leave a Reply