ଶେଷ ହେଲା ବୋର୍ଡ ଦ୍ୱାରା ପରିଚାଳିତ ହାଇସ୍କୁଲ ସମ୍ମେଟିଭ୍-୨ ପରୀକ୍ଷା

1 min read

ଭୁବନେଶ୍ୱର: ଶେଷ ହୋଇଛି ବୋର୍ଡ ଦ୍ୱାରା ପରିଚାଳିତ ହାଇସ୍କୁଲ ସମ୍ମେଟିଭ-୨ ପରୀକ୍ଷା । ଦୁଇ ବର୍ଷ ପରେ କ୍ଲାସରେ ବସି ଅଫଲାଇନରେ ପରୀକ୍ଷା ଦେଇଛନ୍ତି ପରୀକ୍ଷାର୍ଥୀ । ଆସନ୍ତା ୧୦ ତାରିଖରେ ଶେଷ ହେବ ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷାର୍ଥୀଙ୍କ ପରୀକ୍ଷା । ଆସନ୍ତା ୨୦ କିମ୍ବା ୨୧ ତାରିଖରୁ ଆରମ୍ଭ ହୋଇପାରେ ମୂଲ୍ୟାଙ୍କନ ପ୍ରକ୍ରିୟା । ଇଂରାଜୀ, ଗଣିତ ଓ ସାମାଜିକ ବିଜ୍ଞାନ ବିଷୟରେ, ଆଉଟ ଅଫ କୋର୍ସ ପ୍ରଶ୍ନପତ୍ରକୁ ନେଇ ପରୀକ୍ଷାର୍ଥୀ କରୁଥିବା ଅଭିଯୋଗର ତର୍ଜମା କରାଯିବ । କେବଳ ଇଂରାଜୀ ବିଷୟର କିଛି ପ୍ରଶ୍ନକୁ ନେଇ ତ୍ରୁଟି ଥିବା ଜଣାପଡ଼ିଛି । ଏନେଇ ଆଲୋଚନା କରାଯାଇଛି ।

ସମସ୍ତ ବିଦ୍ୟାର୍ଥୀ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ । ସେ ନେଇ ବୋର୍ଡ ପକ୍ଷରୁ ବ୍ୟବସ୍ଥା ହୋଇଥିଲା । ତେବେ ଅନୁପସ୍ଥିତ ରହିବା ନେଇ ସମ୍ପୃକ୍ତ ଜିଲ୍ଲା ଶିକ୍ଷାଧିକାରୀ ରିପୋର୍ଟ ଦେବେ । ବୋର୍ଡ ଏ ସମ୍ପର୍କରେ ବିଭାଗ ସହିତ ଆଲୋଚନା କରିଛି । ବୋର୍ଡ ତା’ର ରେଜଲ୍ଟରେ ଏନେଇ ବିଧିବଦ୍ଧ ସୂଚନା ଦେବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି । ଚଳିତ ବର୍ଷ ୩୫୪୦ଟି କେନ୍ଦ୍ରରେ ମୋଟ ୫ ଲକ୍ଷ ୮୫ ହଜାର ୭୩୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ୩୨୦୩ ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୭୧ ହଜାର ୯୦୯ ଜଣ ପରୀକ୍ଷାର୍ଥୀ ସମ୍ମେଟିଭ୍-୨ ପରୀକ୍ଷା ଦେଇଛନ୍ତି ।