୫ ମାସ ଧରି ଚାଲିଥିବା ଅପରେସନ ଲୋଟସ ପଛର ଚେହେରା

ଶେଷରେ ସେହି ବ୍ୟକ୍ତିଙ୍କ ନାମ ସାମ୍ନାକୁ ଆସିଛି ଯିଏ ଥିଲେ ବିଜେପିର ଅପରେଶନ କମଲର ପ୍ରଛଦପଟ୍ଟ ନାୟକ । ବିଜେପି ଓ ସିନ୍ଧିଆଙ୍କ ମଧ୍ୟରେ ଡିଲ୍ କେମିତି ହେଲା ତାକୁ ନେଇ ଚାଲିଥିବା ଅନୁମାନ ଉପରେ ସେହି ବ୍ୟକ୍ତିଙ୍କ ନାମ ଆସିବା ପରେ ବିରାମ ଲାଗିଛି । ଅପରେସନ ଲୋଟସର ସୂତ୍ରଧର ଥିଲେ ବିଜେପି ମୁଖପାତ୍ର ତଥା ପୂର୍ବତନ ବ୍ୟାଙ୍କର ଜାଫର ଇସଲାମ ।

ବୁଧବାର ଦିନ ଜ୍ୟୋତିରାଦିତ୍ୟ ବିଜେପିରେ ସାମିଲ ହେବା ପୂର୍ବରୁ ତାଙ୍କ ଘର ପହଂଚିଥିଲେ ଇସଲାମ । ଏହାପରେ ଉଭୟ ଗୋଟିଏ ଗାଡିରେ ବିଜେପି ମୁଖ୍ୟାଳୟରେ ପହଂଚିଥିଲେ । ସିନ୍ଧିଆଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ୩୫ ମିନଟ ରହିଥିଲେ ଜାଫର ଇସଲାମ । ସେଠାରୁ ଉଭୟ ଦିନ ୨.୧୦ ମିନଟରେ ବିଜେପି ମୁଖ୍ୟାଳୟକୁ ଯାଇଥିଲେ ।

ଜାଫର ଇସଲାମ କିଏ ?

ଜାଫର ଇସଲାମଙ୍କ ପୁରା ନାମ ସୟଦ ଜାଫର ଇସଲାମ । ସେ ବିଜେପିର ମୁସଲିମ୍ ଚେହେରା ଅଟନ୍ତି । ୭ ବର୍ଷ ତଳେ ସେ ବିଜେପିରେ ଯୋଦ ଦେଇଥିଲେ ଜାଫର । ନ୍ୟୁଜ୍ ଚ୍ୟାନେଲରେ ସିଏ ଜଣେ ପରିଚିତ ଚେହେରା । ତାଙ୍କୁ ବିଭିନ୍ନ ପ୍ରସଙ୍ଗରେ ବିଜେପି ସପକ୍ଷରେ ଯୁକ୍ତି କରୁଥିବା ଆପଣ ଦେଖିଥିବେ । ରାଜନୀତିକୁ ଆସିବା ପୂର୍ବରୁ ଜାଫର ବିଦେଶରେ ରହୁଥିଲେ । ସେ ଡିୟୁସ୍ ବ୍ୟାଙ୍କର ଏମଡି ଥିଲେ । ବର୍ତ୍ତମାନ ସେ ବିଜେପି ମୁଖପାତ୍ର ରହିବା ସହ ଏୟାର ଇଣ୍ଡିଆ ବୋର୍ଡରେ ସ୍ୱତନ୍ତ୍ର ନିର୍ଦ୍ଦେଶକ ରହିଛନ୍ତି ।

 

କେମିତି ହେଲା ଡିଲ୍ ?

ଜାଫର ଓ ଜ୍ୟୋତିରାଦିତ୍ୟଙ୍କ ସଂପର୍କ ଢେର ପୁରୁଣା । ଜାଫର ତାଙ୍କ ବ୍ୟାଙ୍କିଂ କ୍ୟାରିୟର ଦିନରୁ ସିନ୍ଧିଆ ଜୁନିଅରଙ୍କୁ ଜାଣିଛନ୍ତି । ସିନ୍ଧିଆ ୟୁପିଏ ସରକାରର ବାଣିଜ୍ୟ ମନ୍ତ୍ରୀ ଥିବା ବେଳେ ଉଭୟଙ୍କ ପରିଚୟ ହୋଇଥିଲା । ତେବେ ଗତ ୫ ମାସ ହେବ ଜ୍ୟୋତିରାଦିତ୍ୟଙ୍କୁ ବିଜେପିକୁ ଆଣିବା ପାଇଁ ଜାଫର ବାରମ୍ବାର ତାଙ୍କୁ ସାକ୍ଷାତ କରୁଥିଲେ । ଉଭୟଙ୍କ ମଧ୍ୟରେ ୫ ଥର ମିଟିଂ ହୋଇଥିବା କୁହାଯାଉଛି । କୁହାଯାଉଛି ଯେ, ନିଜେ ଜ୍ୟୋତିରାଦିତ୍ୟ ବିଜେପିରେ ସାମିଲ ହେବାକୁ ପ୍ରସ୍ତାବ ଦେଇଥିଲେ ।

ଜାଫରଙ୍କ ଉପରେ ବିଜେପି ଏଥିପାଇଁ ବିଶ୍ୱାସ କରିଥିଲା

ମୋଦିଙ୍କ ଦ୍ୱାରା ପ୍ରଭାବିତ ହୋଇ ଜାଫର ବିଜେପିରେ ସାମିଲ ହୋଇଥିଲେ । ଜାଫର ଓ ମୋଦିଙ୍କ ମଧ୍ୟରେ ଉତ୍ତମ ସମ୍ବନ୍ଧ ରହିଛି । ଏହାସହ ସେ ଅମିତ ଶାହ ଓ ଜେ ପି ନାଡ୍ଡାଙ୍କ ଗୁଡ୍ ବୁକରେ ମଧ୍ୟ ଅଛନ୍ତି । ତେଣୁ ତାଙ୍କୁ ସିନ୍ଧିଆଙ୍କୁ ମନାଇବା ଦାୟିତ୍ୱ ଦିଆଯାଇଥିଲା ।

Leave a Reply