ନକଲି ସାର୍ଟିଫିକେଟ କାରବାର ମାମଲାରେ ତନାଘନା, ଖୁବଶୀଘ୍ର ରିମାଣ୍ଡରେ ଆସିପାରେ ମୁଖ୍ୟ ଅଭିଯୁକ୍ତ

ବଲାଙ୍ଗୀର: ରିମାଣ୍ଡରେ ଖୋଲିବ ନକଲି ସାର୍ଟିଫିକେଟ କାରବାରର ଗୁମର । ଦ୍ୱିତୀୟ ଦିନରେ ବଲାଙ୍ଗୀର ଟାଉନ ଥାନାରେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଜବତ ହୋଇଥିବା ସାର୍ଟିଫିକେଟ୍, ହାର୍ଡ ଡିସ୍କ, ଲାପଟପ ଓ ଅନ୍ୟ ଜିନିଷ ତଦାରଖ କରୁଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ । ଘଟଣାରେ ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ର ସହିତ ସହଯୋଗୀ ଆଲୋକ ଉଦଗାତାକୁ ରିମାଣ୍ଡରେ ନେଇ ତନାଘନା କରିବ । ଏଥିପାଇଁ ଖୁବଶୀଘ୍ର କୋର୍ଟରେ ଆବେଦନ କରିପାରେ କ୍ରାଇମବ୍ରାଞ୍ଚ । କେବେଠାରୁ ରାକେଟ ଆରମ୍ଭ କରିଥିଲା ମନୋଜ । ଏଥିରେ କେତେଜଣ ସଂପୃକ୍ତ ଥିଲେ । କେଉଁ କେଉଁ ରାଜ୍ୟକୁ ରାକେଟର ଚେର ଲମ୍ବିଛି । ଏମିତି କେତେ ଜଣଙ୍କୁ ଜାଲ ସାର୍ଟିଫିକେଟ ଦେଇ କୋଟି କୋଟି ଟଙ୍କା ହାତେଇଛି ଅଭିଯୁକ୍ତ । ମାମଲାର ମୂଳରେ ପହଞ୍ଚିବାକୁ ସବୁ ଦିଗରୁ ତଦନ୍ତ ଆରମ୍ଭ ହୋଇଛି ।

କ୍ରାଇମବ୍ରାଞ୍ଚ ଡିଏସପି ଡିଏସ ଚକ୍ରଙ୍କ ନେତୃତ୍ବରେ ୫ ଜଣିଆ ଟିମ୍ ଛାନବିନ୍ ଆରମ୍ଭ କରିଛି । ବଲାଙ୍ଗୀର ଏସପିଙ୍କ ସହିତ ଆଲୋଚନା କରି ତଦନ୍ତ ଆଗକୁ ବଢାଇଛି କ୍ରାଇମବ୍ରାଞ୍ଚ । ବଲାଙ୍ଗୀରରେ ଡାକ ବିଭାଗର ଚାକିରି ପାଇଁ ସାର୍ଟିଫିକେଟ ଯାଞ୍ଚ ସମୟରେ ସାମ୍ନାକୁ ଆସିଥିଲା ଫେକ ସାର୍ଟିଫିକେଟ ରାକେଟ । ଖୋଳତାଡ଼ କରି ମୁଖ୍ୟ ଅଭିଯୁକ୍ତ ସହ ୧୯ ଜଣଙ୍କୁ ଗିରଫ କରିଛି ପୋଲିସ । ମନୋଜ ମିଶ୍ରର କୋଚିଂ ସେଣ୍ଟରରୁ ଜବତ ହୋଇଥିବା ଆର୍ଥିକ କାରବାର ସଂପର୍କିତ ଡାଏରି ଓ କିଛି ଚେକର ତଦନ୍ତ ପରେ ସନ୍ଦେହ ଘେରକୁ ଆସିଛନ୍ତି ଆଉ ଜଣେ ଯୁବକ ଭିନିତ ନାଏକ । ସେ ଏବେ କଳାହାଣ୍ଡି ଜେଲରେ ଏକ ମାମଲାରେ ବିଚାରାଧୀନ ଅନ୍ତେବାସୀ ଭାବରେ ରହୁଛି । ଏଣୁ ତାକୁ ମଧ୍ୟ ଆଗାମୀ ଦିନରେ କ୍ରାଇମବ୍ରାଞ୍ଚ ତଦନ୍ତ ପରିସରଭୁକ୍ତ କରିପାରେ ।