ମୋବାଇଲ ଚୋରକୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧିଲେ ସ୍ଥାନୀୟ ଲୋକ

ଭୁବନେଶ୍ୱର: ବିଳମ୍ବିତ ରାତିରେ ଚତୁରତାର ସହ ମୋବାଇଲ ଚୋରି । କେତେବେଳେ ଝରକା ବାଟେ ତ ଆଉ କେତବେଳେ ଛାତ ଉପରେ ଚଢ଼ି । ଏଭଳି ମୋବାଇଲ ଲୁଟୁଥିବା ଜଣେ ଯୁବକକୁ କାବୁ କରି ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେଇଛନ୍ତି ସ୍ଥାନୀୟ ଲୋକେ । ଘଟଣାଟି ଘଟିଛି ନୟାପଲ୍ଲୀ ଅଞ୍ଚଳରେ । ଗିରଫ ଯୁବକର ନାମ ସତ୍ୟ ନାରାୟଣ ରେଡି । ଘର ଗଂଜାମ ଜିଲ୍ଲା ସେରଗଡ଼ ଅଂଚଳରେ । ବର୍ତ୍ତମାନ ସାଲିଆ ସାହିରେ ରହୁଛି । ପୂର୍ବରୁ ତା ନାମରେ ମାମଲା ରହିଛି ।

ବର୍ତ୍ତମାନ ଥାନାରେ ଅଟକ ଥିବା ସତ୍ୟଠାରୁ ଗୋଟିଏ ଚୋରୀ ମୋବାଇଲ ପୋଲିସ ଜବତ କରିଛି । ଆଉ ୨୦ଟି ମୋବାଇଲ ଚୋରି କରି ସେ ଅନ୍ୟତ୍ର ବିକୁଥିବା କହିଛି। ନୟାପଲ୍ଲୀ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଥାନାକୁ ନେଇଛି । ଗ୍ୟାଙ୍ଗ ନୁହେଁ, ବରଂ ସେ ଏକୁଟିଆ ଲୁଟୁଥିବା ସ୍ପଷ୍ଟ କରିଛି ନୟାପଲ୍ଲୀ ପୋଲିସ ।