ଦି କେରଲ ଷ୍ଟୋରି: ୩୨ ହଜାର ଗାଏବ ଝିଅଙ୍କ କାହାଣୀ…

1 min read

ନନ୍ଦିଘୋଷ ବ୍ୟୁରୋ: ଲୋମଟାଙ୍କୁରା କାହାଣୀକୁ ନେଇ ନିର୍ମିତ ‘ଦ କେରଳ ଷ୍ଟୋରୀ’ର ଟ୍ରେଲର ରିଲିଜ୍ ହୋଇ ସାରିଛି । ନର୍ସରୁ ISIS ଆତଙ୍କବାଦୀ ପାଲଟି ଯାଇଥିବା ଯୁବତୀଙ୍କ ବାସ୍ତବ କାହାଣୀ ଉପରେ ଏହା ପର୍ଯ୍ୟବେସିତ । କିଭଳି ଏମାନଙ୍କ ଧର୍ମ ପରିବର୍ତ୍ତନ କରାଗଲା, ହିନ୍ଦୁ ଏବଂ ଖ୍ରୀଷ୍ଟୀୟାନ ଯୁବତୀଙ୍କୁ କିଭଳି ଲଭ୍ ଜିହାଦ ଟ୍ରାପରେ ପକାଇ ମୁସଲିମ କରାଗଲା ସେ ପୂରା କାହାଣୀ ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ ।

ମେ ୫’ରେ ରିଲିଜ୍ ହେବାକୁ ଥିବା ଏହି ସିନେମାର ନିର୍ମାତା ହେଉଛନ୍ତି ସୁଦୀପ୍ତୋ ସେନ୍ । ବିପୁଳ ଅମୃତଲାଲ ଖୋଦ୍ ଏହାର ପ୍ରଯୋଜକ ହୋଇଥିବାବେଳେ କ୍ରିଏଟିଭ୍ ଡାଇରେକ୍ଟର ଭାବରେ ମଧ୍ୟ ଏହି ଫିଲ୍ମରେ କାମ କରିଛନ୍ତି । ଅଦା ଶର୍ମା, ଯୋଗିତା ବିହାନୀ, ସୋନିଆ ବାନୀ ଏବଂ ସିଦ୍ଧି ଇଦନାନୀ ମୁଖ୍ୟ ଚରିତ୍ରରେ ନଜର ଆସିବେ। ଫିଲ୍ମ ହିନ୍ଦୀ,ତାମିଲ, ତେଲୁଗୁ ଏବଂ ମଲୟାଲାମ ଭାଷାରେ ରିଲିଜ୍ ହେବ । ଦ କେରଳ ଷ୍ଟୋରୀର ଟ୍ରେଲରରେ ଅଦା ଶର୍ମାଙ୍କୁ ଦମଦାର ଅଭିନୟରେ ଦେଖିବାକୁ ମିଳିଛି । ଅଦା ଶର୍ମା ଶାଳୀନୀ ଉନ୍ନିକୃଷ୍ଣନଙ୍କ ଚରିତ୍ରରେ ନଜର ଆସିବେ ।

ପ୍ରଥମେ ନିରୀହ ହିନ୍ଦୁ ଝିଅଙ୍କୁ ଟ୍ରାପରେ ପକାଇ ପରେ ବ୍ରେନ୍ଓ୍ୱାଶ କରି ସେମାନଙ୍କ ଧର୍ମ ପରିବର୍ତ୍ତନ କରାଯାଏ ଏବଂ ଅଜବ ବିଶ୍ୱାସ ଦିଆଯାଏ । କୁହାଯାଏ ହିଜାବ ପିନ୍ଧିଲେ ଝିଅ କେବେ ଦୁଷ୍କର୍ମର ଶିକାର ହୁଅନ୍ତିନାହିଁ କୌଣସି ସମସ୍ୟାରେ ପଡ଼ନ୍ତି ନାହିଁ । ଧର୍ମ ପରିବର୍ତ୍ତନ ପରେ ସେମାନଙ୍କୁ ISIS ଆତଙ୍କବାଦୀଙ୍କ ମଧ୍ୟରେ ଛିଡ଼ା କରିଦିଆଯାଏ । ଏହାପରେ ଆରମ୍ଭ ହୁଏ ଖତରନାକ୍ କ୍ରାଇମ୍ । ଛାତି ଥରାଇବା ଭଳି ଦୃଶ୍ୟ । ଯାହା ସେମାନଙ୍କ କଳ୍ପନା ବାହାରେ । ଆଉ ସେମାନେ ଦେଖନ୍ତି ମଣିଷରୂପୀ ରାକ୍ଷସର ଚେହେରା ।

ଏହି କାହାଣୀ କେବଳ ଶାଲିନୀଙ୍କ ଉପରେ ଆଧାରିତ ନୁହେଁ ବରଂ ଗାୟବ ହୋଇ ଯାଇଥିବା ୩୨ ହଜାର ମହିଳାଙ୍କୁ ନେଇ ଏହା ନିର୍ମାଣ ହୋଇଛି । ଦ କେରଳ ଷ୍ଟୋରୀ ଏକ ସତ୍ୟ ଘଟଣା ଉପରେ ଆଧାରିତ । ତେବେ ଭାରତ ବିରୁଦ୍ଧରେ ISIS ଆତଙ୍କବାଦୀଙ୍କ ଏହି ଘୃଣ୍ୟ ଷଡ଼ଯନ୍ତ୍ର ପର୍ଦ୍ଦାଫାଶ ହେବାପରେ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । ଫିଲ୍ମର ଟ୍ରେଲରକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି । ସିନେମାଟି କେଉଁଭଳି ହେବ ଏହା ଦେଖିବା ବାକି ରହିଲା ।