ପଶ୍ଚିମବଙ୍ଗରେ ‘ଦ କେରଳ ଷ୍ଟୋରୀ’ ଉପରେ ବ୍ୟାନ

କୋଲକାତା: ପଶ୍ଚିମବଙ୍ଗର ମମତା ବନାର୍ଜୀ ସରକାର ‘ଦ କେରଳ ଷ୍ଟୋରୀ’ ସିନେମାକୁ ରାଜ୍ୟରେ ବ୍ୟାନ କରିଛନ୍ତି । ନିଜେ ମମତା ବନାର୍ଜୀ ଏହି ସିନେମା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ‘ଦ କାଶ୍ମୀର ଫାଇଲ୍ସ’ କଣ ଥିଲା? ଏହା ଏକ ବର୍ଗକୁ ଅପମାନିତ କରୁଥିବା କାହାଣୀ ଥିଲା । ‘ଦ କେରଳ ଷ୍ଟୋରୀ’ କଣ ଅଟେ? ଏହା ମଧ୍ୟ ଏକ ଭୁଲ ଢଙ୍ଗରେ ଉପସ୍ଥାପିତ କରାଯାଇଥିବା କାହାଣୀ ଅଟେ । ମମତା ବନାର୍ଜୀ ଏହି ମାମଲାରେ ବିରୋଧୀ ଦଳ ସିପିଏମ ଉପରକୁ ମଧ୍ୟ ଟାର୍ଗେଟ କରିଛନ୍ତି ଏବଂ କହିଛନ୍ତି, ସେମାନେ ଏହି ମାମଲାରେ ପାଟି ବି ଖୋଲୁନାହାନ୍ତି ।

ରାଜ୍ୟ ସଚିବାଳୟରେ ମମତା ବନାର୍ଜୀ ଫିଲ୍ମ ଉପରେ ବ୍ୟାନ ନେଇ ଘୋଷଣା କରିଛନ୍ତି । ଏହାର କିଛି ସମୟ ପୂର୍ବରୁ ସେ ଅଭିଯୋଗ କରିଥିଲେ ଯେ ବିଜେପି ‘ଦ କାଶ୍ମୀର ଫାଇଲ୍ସ ଭଳି ବେଙ୍ଗଲ ଉପରେ ମଧ୍ୟ ଏକ ଫିଲ୍ମ ନିର୍ମାଣ କରୁଛି ଏବଂ ଏଥିପାଇଁ ଫଣ୍ଡିଂ ମଧ୍ୟ କରୁଛି । ମମତା ବନାର୍ଜୀ ‘ଦ କେରଳ ଷ୍ଟୋରୀ’ ଉପରେ ବ୍ୟାନ ନିଷ୍ପତ୍ତି ଶୁଣାଇବା ସହ ମୁଖ୍ୟ ଶାସନ ସଚିବଙ୍କୁ ଆଦେଶ ଦେଇଛନ୍ତି ଯେ ସେ ଏହା ସୁନିଶ୍ଚିତ କରନ୍ତୁ ଯେ ରାଜ୍ୟରେ କେଉଁଠାରେ ମଧ୍ୟ ଫିଲ୍ମର ସ୍କ୍ରିନଂ ନହୋଇପାରିବ ।

ସେ କହିଛନ୍ତି ଯେ ଏହି ନିଷ୍ପତ୍ତି ରାଜ୍ୟରେ ଆଇନ ବ୍ୟବସ୍ଥାକୁ ବଳବତ୍ତର ରଖିବା ପାଇଁ ନିଆଯାଇଛି । ଏହି ଫିଲ୍ମ ଚାଲିବା ଦ୍ୱାରା ଆଇନ ବ୍ୟବସ୍ଥା ବିଗିଡ଼ିବା ଏବଂ ହିଂସା ଘଟଣାର ଆଶଙ୍କା ଅଧିକ ରହିଛି । ମମତା ଆଗକୁ କହିଥିଲେ ଯେ ବେଙ୍ଗଲ ଉପରେ ମଧ୍ୟ ଏକ ସିନେମା ନିର୍ମାଣ କରାଯାଉଥିବା ନେଇ ମୋତେ ସୂଚନା ଆସିଛି । ପ୍ରଥମେ ଏମାନେ କାଶ୍ମୀରର ଲୋକଙ୍କୁ ଅପମାନ କରିଥିଲେ । ଏହାପରେ କେରଳର ଲୋକଙ୍କ ସହ ଏପରି ହେଲା ।

ଏବେ ବେଙ୍ଗଲକୁ ମଧ୍ୟ ଅପମାନ କରିବା ପାଇଁ ଯୋଜନା କରାଯାଉଛି । ସୂଚନାଥାଉକି, ‘ଦ କେରଳ ଷ୍ଟୋରୀ’କୁ ନେଇ ବର୍ତ୍ତମାନ ସମୟରେ ଚର୍ଚ୍ଚା ଜୋର ଧରିଛି । କେହି କେହି କହିଛନ୍ତି ଯେ ଫିଲ୍ମଟି କେରଳର ସତ୍ୟ ଘଟଣା ଉପରେ ଆଧାରିତ ହୋଇଛି । ଫିଲ୍ମ ଜରିଆରେ ହିନ୍ଦୁ ଯୁବତୀମାନେ ସଚେତନ ହେବେ ବୋଲି କୁହାଯାଇଛି । ସେହିପରି ଆଉ କେହି କେହି ଫିଲ୍ମକୁ ବିରୋଧ କରି ମୁସଲିମଙ୍କ ବିରୋଧରେ ଘୃଣା ସୃଷ୍ଟି କରିବାକୁ ଏହି ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି । ତେବେ ସିନେମା ୫ ତାରିଖରେ ରିଲିଜ୍ ହୋଇଥିବା ବେଳେ ସାରା ଦେଶରେ ବହୁତ ଭଲ ରେସପନ୍ସ ମିଳୁଛି ।