ଆରମ୍ଭ ହେଲା କାଉଁରିଆ ଯାତ୍ରା, ଆମିଷ ହୋଟେଲ ବନ୍ଦ ପାଇଁ ହେଲା ନିର୍ଦ୍ଦେଶ  

ଗାଜିଆବାଦ : ଆରମ୍ଭ ହେଲା ଶ୍ରାବଣ ମାସ । ମାସ ଆରମ୍ଭରୁ ମହାଦେବଙ୍କ ଜଳାଭିଷେକ ପାଇଁ ଅଣ୍ଟା ଭିଡ଼ିଲେଣି କାଉଁରିଆ । ‘ଭୋଲବମ ହରେ ହରେ ବମ୍’ ନାରା ଲଗାଇ ଶତାଧିକ ବାଟ ଚାଲିବେ କାଉଁରିଆ ଭକ୍ତ । ଏମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ବ୍ୟବସ୍ଥାର ଆୟୋଜନ କରିଥିବା ବେଳେ ମିରଟ ଏବଂ ବାରଣାସୀରେ ଶତାଧିକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଧାରା ୧୪୪ ଅନ୍ତର୍ଭୁକ୍ତ କାଉଁରିଆଙ୍କ ଚଲା ବାଟରେ କୌଣସି ଆମିଷ ହୋଟେଲ ଖୋଲା ନ ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଗାଜିଆବାଦ ଡିଏମ୍ ରାକେଶ କୁମାର ସିଂହ । ୧୮ ଜୁଲାଇରୁ ୨୭ ଜୁଲାଇ ପର୍ଯ୍ୟନ୍ତ କାଉଁରିଆ ମାର୍ଗ ଅର୍ଥାତ୍, ଦୁଧେଶ୍ୱରନାଥ ମନ୍ଦିରର ୫ ଶହ ମିଟର ପରିସର ମଧ୍ୟରେ ଥିବା ସମସ୍ତ ଆମିଷ ହୋଟେଲକୁ ବନ୍ଦ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ଡିଏମ୍ ।

କାଉଁରିଆଙ୍କ ସୁରକ୍ଷା ପାଇଁ ୧୫୧ ପିଏସି ଓ ୧୧ଟି କେନ୍ଦ୍ରୀୟ ପୋଲିସ ଫୋର୍ସ ନିୟୋଜିତ କରାଯାଇଥିବା ବେଳେ ମିରଟ, ବାରଣାସୀ କମିଶନରେଟ ପାଇଁ ଅତିରିକ୍ତ ପୋଲିସ ଫୋର୍ସ ସମେତ ୧୩ ଜଣ ଆଡିସନାଲ ଏସପି, ୩୦ ଡେପ୍ୟୁଟି ଏସପି । ୩୦୯ ଜଣ ଇନ୍ସପେକ୍ଟର ଓ ସବଇନ୍ସପେକ୍ଟର, ୧୨୫୦ କନେଷ୍ଟବଳ ଓ ହେଡ କନେଷ୍ଟବଳ, ୧୩୨ ଜଣ ଟ୍ରାଫିକ ପୋଲିସ କର୍ମଚାରୀଙ୍କୁ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ କରାଯାଇଛି । ଏହି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଯିବା ସହ ବୋମା ନିରୋଧକ କର୍ମଚାରୀଙ୍କୁ ମଧ୍ୟ ସଜାଗ ରଖାଯାଇଛି । ରାଜ୍ୟର ୯ ଶହ ୨୭ଟି ସ୍ଥାନକୁ ଚିହ୍ନଟ କରାଯାଇ ଏଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ବିଶେଷ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି । ୧ ହଜାର ୯ ଶହ ୧୭ ଟି ସେକ୍ଟରରେ ୧ ହଜାର ୧୯୫ ପୋଲିସର କ୍ୟୁଆରଟି ଟିମ୍ ମୁତୟନ କରାଯିବ । କେବଳ ଏତିକି ନୁହେଁ, ଆମିଷ ଭକ୍ଷଣ ପାଇଁ ନିଆଯାଉଥିବା ମୃତ ପଶୁଙ୍କ ପରିବହନ ମାର୍ଗ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯିବାର ବ୍ୟବସ୍ଥା ରହିଛି ।