ଚୋରି ସନ୍ଦେହରେ ମହିଳା ସେବିକାଙ୍କୁ ବନ୍ଧକ ରଖିଲେ ଘର ମାଲିକ, ଦୁଇଘଣ୍ଟାର ଅପରେସନ ପରେ ଉଦ୍ଧାର କଲା ପୋଲିସ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ଚୋରି ସନ୍ଦେହରେ ମହିଳା ସେବିକାଙ୍କୁ ବନ୍ଧକ ରଖିଲେ ମାଲିକ। ସେବିକାଙ୍କୁ ଉଦ୍ଧାର ବେଳେ ପୋଲିସକୁ ସ୍କ୍ରୁ ଡ୍ରାଇଭରରେ ଘର ମାଲିକ ଆକ୍ରମଣ କରିଛନ୍ତି । ଆକ୍ରମଣରେ ଆହତ ହୋଇଛନ୍ତି ମହିଳା ସବ୍ ଇନ୍ସପେକ୍ଟର । ଚନ୍ଦ୍ରଶେଖରପୁର ଥାନା ଶ୍ରୀ ବିହାର ଅଞ୍ଚଳରେ ଥିବା ଏକ ଅପାର୍ଟମେଣ୍ଟରେ ଏହି ଘଟଣା ଘଟିଛି । ଫ୍ଲାଟରେ ରହୁଥିବା ବିଶ୍ଵଦର୍ଶୀ ଦାସ ଘଟାଇଛନ୍ତି ଏହି ତୁମୁଳ କାଣ୍ଡ। ଜଣେ ସେବିକାଙ୍କୁ ଚୋରି ସନ୍ଦେହରେ ଦୀର୍ଘ ସମୟ ହେବ ବନ୍ଦୀ କରି ରଖିଥିବା ବେଳେ ଖବର ପାଇ ସ୍ଥାନୀୟ ଚନ୍ଦ୍ରଶେଖରପୁର ପୁଲିସ୍ ଉଦ୍ଧାର ପାଇଁ ଯାଇଥିଲେ ।

କିନ୍ତୁ ସେଠାରେ ଘର ମାଲିକ ବିଶ୍ଵଦର୍ଶୀ ପୋଲିସକୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଘର ଖୋଲି ନଥିଲେ । ଦୀର୍ଘ ଦୁଇ ଘଣ୍ଟାର ଅପରେସନରେ ଗ୍ରିଲ କାଟିବା ସହ କବାଟ ଭାଙ୍ଗି ମହିଳା ସେବିକାଙ୍କୁ ଉଦ୍ଧାର କରିଥିଲା ପୋଲିସ । ଆଉ ସେହି ସମୟରେ ପୋଲିସକୁ ଆକ୍ରମଣ କରିଥିଲେ ବିଶ୍ଵଦର୍ଶୀ । ଏ ନେଇ ସେବିକା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି । ଘର ମାଲିକଙ୍କ ବିରୋଧରେ ସେବିକାକଙ୍କୁ ଅଟକ ରଖିବା ଓ କାର୍ଯ୍ୟରତ ମହିଳାଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଦୁଇଟି ମାମଲା ରୁଜୁ କରିଛି ଚନ୍ଦ୍ରଶେଖପୁର ଥାନା ପୋଲିସ । ପୂର୍ବରୁ ପତ୍ନୀଙ୍କୁ ନିର୍ଯାତନ ଅଭିଯୋଗରେ ବିଶ୍ବଦର୍ଶୀଙ୍କୁ ମହିଳା ଥାନା ପୋଲିସ ଗିରଫ କରିଥିଲା ।