ଶୂନ୍ୟ କାଳରେ ଉଠିଲା ଚିତ୍ରକୋଣ୍ଡା ଏସଡିପିଓଙ୍କ ଗୁଣ୍ଡାରାଜ, ନିଲମ୍ବନ ଦାବି କଲେ ବିରୋଧୀ

1 min read

ଭୁବନେଶ୍ୱର: ବିଧାନସଭା ଶୂନ୍ୟ କାଳରେ ଉଠିଲା ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ୱିବେଦୀଙ୍କ ଗୁଣ୍ଡାରାଜ ଘଟଣା । ମାଲକାନଗିରି REC ୧୩ ନମ୍ବର ଗାଁରେ ଫୋର୍ସ ଧରି ମହିଳା ଅଧିକାରୀଙ୍କୁ ସାଙ୍ଗରେ ନ ନେଇ ଗାଁରେ ପଶି ଗର୍ଭବତୀ ମହିଳା, ୮୦ ବର୍ଷୀୟ ବୃଦ୍ଧା, ୧୪ ବର୍ଷର ନାବାଳିକାଙ୍କୁ ମାଡ ମାରିଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ସଦସ୍ୟ । ଏହାର ଫଟୋ ମଧ୍ୟ ଗୃହରେ ପ୍ରଦର୍ଶନ କରିଛନ୍ତି । ମଦ ନିଶାରେ ଆତଙ୍କରାଜ କରିଛନ୍ତି ବୋଲି କହିଛନ୍ତି କଂଗ୍ରେସ ଦଳ ମୁଖ୍ୟ ସଚେତକ ତାରା ବାହିନୀପତି । ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲେ ବି କୌଣସି ପଦକ୍ଷେପ ନିଆଯାଇନାହିଁ । ଡାକ୍ତରଙ୍କୁ ଚାପ ପକାଇ ମିଥ୍ୟା ରିପୋର୍ଟ ଆଣାଯାଇଛି । ଘଟଣାରେ ଦୁଇ ଜଣ ସାମ୍ବାଦିକ, ବ୍ଲକ ସଭାପତି, ଜିଲ୍ଲା ସଭାପତିଙ୍କ ସହ ୧୮ ଜଣଙ୍କୁ ଗିରଫ କରାଯାଇଛି । ତୁରନ୍ତ ଏସଡିପିଓଙ୍କୁ ନିଲମ୍ବନ କରିବା ସହ ମାଜିଷ୍ଟ୍ରେଟଙ୍କ ଜରିଆରେ ତଦନ୍ତ ପାଇଁ ତାରା ଦାବି କରିଥିବା ବେଳେ କ୍ରାଇମବ୍ରାଞ୍ଚ୍ ତଦନ୍ତ ଦାବି କରିଛନ୍ତି ଅନ୍ୟତମ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।

ଅନ୍ୟପଟେ ଗୃହ କମିଟି ଗଠନ କରି ଘଟଣାସ୍ଥଳ ପରିଦର୍ଶନ କରିବା ପାଇଁ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଏହା ସହ ବିଚାର ବିଭାଗୀୟ ତଦନ୍ତ ମଧ୍ୟ ଦାବି କରିଛନ୍ତି ନରସିଂହ । ସବୁ କାର୍ଯ୍ୟକ୍ରମ ବାତିଲ କରି ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଛନ୍ତି ନରସିଂହ ମିଶ୍ର । ବାଚସ୍ପତିଙ୍କ ତୁରନ୍ତ ରୁଲିଂ ଦାବିରେ କଂଗ୍ରେସ ସଦସ୍ୟ ଗୃହ ମଧ୍ୟ ଭାଗରେ ହଟ୍ଟଗୋଳ କରିଥିବା ଜଣାପଡିଛି । ବିରୋଧୀଦଳ ମୁଖ୍ୟ ସଚେତକ ବି ସମାନ ପ୍ରସଙ୍ଗ ଉଠାଇ ତଦନ୍ତ ଦାବି କରିଛନ୍ତି  । ତେବେ ଏ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି l ବାରମ୍ବାର ଗୃହ ମୁଲତବି ପରେ ଶେଷରେ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି ।