ଆରମ୍ଭ ହେଲା ଐତିହାସିକ କଟକ ବାଲିଯାତ୍ରା

1 min read

କଟକ: ଆରମ୍ଭ ହେଲା ବିଶ୍ବ ପ୍ରସିଦ୍ଧ କଟକ ଐତିହାସିକ ବାଲିଯାତ୍ରା । ଉପର ଓ ମହାନଦୀ ପଠା ତଳ ପଡିଆରେ ମେଳିଛି ସହସ୍ରାଧିକ ବିପଣନ ସାମଗ୍ରୀର ପସରା । ଠୁଙ୍କା ପୁରୀ,  ଆଳୁଦମ ଦହିବରା, ମଥୁରା କେକ, ଗୁପଚୁପ ସାଙ୍ଗକୁ ରକମ ରକମର ସୁସ୍ୱାଦୁ ଖାଦ୍ୟ, ଭଳିକି ଭଳି ଦୋଳି ଆଉ ଓରମାସର ପଲିଶ୍ରୀ ମେଳା ହାତଠାରି ଡାକୁଛି ଦର୍ଶକଙ୍କୁ । ଆଉ ଆରମ୍ଭ ଦିନରୁ ବୁଲା ବୁଲି ସାଙ୍ଗକୁ କିଣାଣିକିରେ ମଜି ଗଲେଣି ଦର୍ଶକ । ଉଭୟ ଯାତ୍ରାକୁ ନେଇ ବେଶ ଉତ୍ସାହିତ ଥିବା ବେଳେ ଏଥର ବ୍ୟବସାୟ ପୂର୍ବ ରେକର୍ଡକୁ ଭାଙ୍ଗିବ ବୋଲି କହିଛନ୍ତି ଆୟୋଜକ ।

ଚଳିତ ବର୍ଷ ୮ ଦିନ ଆୟୋଜିତ ହେଉଥିବା ବାଲିଯାତ୍ରାକୁ ପ୍ରତିଥର ପରି ଏଥର ଆସିଛି ବିଭିନ୍ନ ରକମର ସୁସ୍ୱାଦୁ ଖାଦ୍ୟ, ଭଳିକି ଭଳି ଦୋଳି, ସାଂସ୍କୃତିକ ବିଚିତ୍ରା ସାଙ୍ଗକୁ ଓରମାସ ବଜାର । ସମସ୍ତ ପର୍ଯ୍ୟଟକଙ୍କୁ ପଲିଶ୍ରୀ ମେଳା ହାତ ଠାରି ଡାକିଲାଣି । ଏଥର ନୂଆ କରି ହୋଇଥିବା ଅନନ୍ତ ଦୁନିଆ ସାଙ୍ଗକୁ ଓଡ଼ିଆ ଚଳଚିତ୍ର ଇତିକଥା ବେଶ ଆକର୍ଷଣୀୟ ହୋଇଛି । ଯାହାକୁ ମନଭରି ଉପଭୋଗ କରିବା ପାଇଁ ଆଜିଠାରୁ ଆରମ୍ଭ ହେଲାଣି ଦର୍ଶକଙ୍କ ଭିଡ଼ ।

ସେପଟେ ଜିଲ୍ଲା ପ୍ରଶାସନ ଯାତ୍ରାକୁ ଅଧିକ ଆକର୍ଷଣୀୟ ଓ ମନୋରଞ୍ଜନ ଧର୍ମୀ କରିବା ପାଇଁ ୧୩ଟି ରାଷ୍ଟ୍ରର ରାଷ୍ଟ୍ରଦୂତଙ୍କ ସମେତ ୮ ଦେଶର କଳାକାରକୁ ଆମନ୍ତ୍ରଣ କରିଛି ।  ମେଳାର ଉଭୟ ଉପର ଓ ତଳ ପଡିଆରେ ୨୫ ଶହରୁ ଅଧିକ ବିପଣନ ସାମଗ୍ରୀର ପସରା ମେଲିଛି । ଭାରତ-ଇଣ୍ଡୋନେସିଆର ସମ୍ପର୍କକୁ ନେଇ ହୋଇଛି ସ୍ୱତନ୍ତ୍ର କରିଡର ।  ପ୍ରାୟ ୫ ଶହ ଷ୍ଟଲକୁ ନେଇ ହୋଇଛି ଯାତୀୟ ସ୍ତରୀୟ ପଲିଶ୍ରୀ ମେଳା ।