ଲାଇସେନ୍ସ ନଥାଇ ଚାଲିଥିଲା ହସ୍ପିଟାଲ, କାଗଜପତ୍ର ଯାଞ୍ଚ ପରେ ସିଲ୍ କଲେ ସ୍ବାସ୍ଥ୍ୟ ଅଧିକାରୀ

କଟକ: ବିନା ଲାଇସେନ୍ସରେ ହସ୍ପିଟାଲ ଚଳାଇବା ପଡ଼ିଲା ମହଙ୍ଗା । ସିଏମସିର ମିଳିତ ଚଢାଉ । କଟକ ଦାସ ସାହିର ସାଇ ସୋନାଲି ହସ୍ପିଟାଲକୁ ସିଲ୍ କଲା ପ୍ରଶାସନ । ବ୍ୟତିକ୍ରମ ବାବଦକୁ ୩୦ ହଜାର ଜରିମାନା । ଲିଖିତ ଉତ୍ତର ରଖିବାକୁ ୭ ଦିନ ମହଲତ । ହସ୍ପିଟାଲ ମାଲିକ ବର୍ଷ ବର୍ଷ ଧରି ପୈଠ କରୁନଥିଲେ ଖଜଣା । ବାରମ୍ବାର ଏନେଇ ନୋଟିସ ସତ୍ୱେ କୌଣସି ଉତ୍ତର ନମିଳିବାରୁ ଶେଷରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସିଏମସି ଅଧିକାରୀ । ତେବେ ହସ୍ପିଟାଲ ସିଲ୍ କରିବାକୁ ଆସିଥିବା ଅଧିକାରୀଙ୍କୁ ନାକେଦମ ହେବାକୁ ପଡିଥିଲା । ହସ୍ପିଟାଲରେ ରୋଗୀ ନଥିବା ବେଳେ ସନ୍ଦେହ ଜନକ ଅବସ୍ଥାରେ ଏକାଧିକ ଝିଅ ବିଭିନ୍ନ ସ୍ଥାନରେ ଲୁଚି ରହିଥିଲେ । ପୋଲିସ ଡକାଇ ସେମାନଙ୍କ ସବିଶେଷ ଠିକଣା ନେଇ ସେମାନଙ୍କୁ ବିଦା କରାଯାଇଛି ।

ହସ୍ପିଟାଲ ଚଳାଇବା ପାଇଁ ନା ଅଛି ଆବଶ୍ୟକ ଟ୍ରେଡ୍, ଫାୟାର, କ୍ଲିନିକାଲ ୟୁଜର୍ସ ନା ଅଛି ସାନିଟାଇଜେସନ ପ୍ରମାଣ ପତ୍ର । ସବୁ ନିୟମକୁ ଆଖିବୁଜି ଦେଇ ବର୍ଷ ବର୍ଷ ଧରି ଏଠାରେ ଚାଲିଥିଲା ରୋଗୀସେବା । ଏଠାରେ ଦୁଇଜଣ ମାଲିକ ଗୋଟିଏ ଗୋଟିଏ ଫ୍ଲୋର ନେଇ ଚଲାଇଥିଲେ ହସ୍ପିଟାଲ । ଜଣେ ମାଲିକ ଲାଇସେନ୍ସ ପାଇଁ ସିଡିଏମଓଙ୍କୁ ୨୦୧୬ରେ ଆବେଦନ କରିଥିବା ସଫେଇ ଦେଇଥିବା ବେଳେ ଅନ୍ୟଜଣେ ଏନେଇ କିଛି ଜାଣିନଥିବା କହିଛନ୍ତି । ସାଇ ସୋନାଲି ହସ୍ପିଟାଲ ସିଲ୍ ହେବା ପରେ ଏବେ କଟକର ଅନ୍ୟ ଛୋଟବଡ଼ ହସ୍ପିଟାଲ ସନ୍ଦେହ ଘେରକୁ ଆସିଛି । ଆଗାମୀ ଦିନରେ ଅନ୍ୟାନ୍ୟ ହସ୍ପିଟାଲରେ ମଧ୍ୟ ଯାଞ୍ଚ କରାଯିବ ବୋଲି କହିଛନ୍ତି ଅଧିକାରୀ ।