spot_img

Latest Posts

ବର୍ଷିଆନ ଅଭିନେତା ମିହିର ଦାସଙ୍କ ପରଲୋକରେ ଶୋକବ୍ୟକ୍ତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆରପାରିରେ ବରିଷ୍ଠ ଅଭିନେତା ମିହିର ଦାସ । ୬୩ ବର୍ଷରେ ବୟସରେ ମିହିର ଦାସଙ୍କ ପରଲୋକ ହୋଇଛି । ପ୍ରାୟ ମାସେରୁ ଅଧିକ ସମୟ ହେବ ସେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ବିଗତ କିଛି ଦିନ ହେବ ସେ କିଡନୀ ରୋଗରେ ଆକ୍ରାନ୍ତ ଥିଲେ । କିଡନୀ ରୋଗରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିଲା । ମିହିର ଦାସଙ୍କ ଦୁଇଟି ଯାକ କିଡନୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଯାହା ଫଳରେ ସପ୍ତାହରେ ତାଙ୍କର ତିନି ଥର ଡାଏଲିସସ ହେଉଥିଲା ।

ବର୍ଷିଆନ ଅଭିନେତା ମିହିର ଦାସଙ୍କ ବିୟୋଗରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ଓଡ଼ିଆ ସିନେଜଗତର ପ୍ରଖ୍ୟାତ ଅଭିନେତା ମିହିର ଦାସଙ୍କ ପରଲୋକରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଗଭୀର ଶୋକ ପ୍ରକଟ କରିବା ସହିତ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ଵନା ଜଣାଇଛନ୍ତି। ସ୍ବର୍ଗତ ଦାସ ଜଣେ ଶୀର୍ଷ ସ୍ତରର କଳାକାର ଭାବେ ନିଜର ଅନନ୍ୟ ଅଭିନୟ କଳା ପାଇଁ ସବୁରି ହୃଦୟରେ ରହିବେ ବୋଲି ରାଜ୍ୟପାଳ କହିଛନ୍ତି ।

ସେହିପରି ମିହିର ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି କି ବର୍ଷୀୟାନ ଅଭିନେତା ମିହିର ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଆ କଳା ଜଗତରେ ସେ ଛାଡିଯାଇଥିବା ଅଭିନୟର ଛାପ ତାଙ୍କୁ ସର୍ବଦା ଅମର କରି ରଖିବ। ତାଙ୍କ ବିୟୋଗ ଓଡ଼ିଆ କଳାଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 

 

Latest Posts

Don't Miss