ଶିକ୍ଷକ ଅଭାବ ଦୂର କରିବ ଶିକ୍ଷା ବଜେଟ, ପ୍ରଥମ ପର୍ଯ୍ୟାୟରେ ୨୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦେବେ ସରକାର

ଭୁବନେଶ୍ୱର: ରାଜ୍ୟ ବଜେଟରେ ସମାଧାନ ହେବ ଶିକ୍ଷକ ଅଭାବ ସମସ୍ୟା । ହାଇସ୍କୁଲରେ ନିଯୁକ୍ତି କରାଯିବ ଶିକ୍ଷକ । ଖୁବଶୀଘ୍ର ପ୍ରାଥମିକ ସ୍କୁଲରେ ବ୍ୟାପକ ଶିକ୍ଷକ ନିଯୁକ୍ତି କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇବେ । ପର୍ଯ୍ୟାୟକ୍ରମ ଏହି ଆକାର ୪୦ ହଜାରରେ ପହଞ୍ଚିବାର ସମ୍ଭାବନା ରହିଛି । ଏବେ ପ୍ରାଥମିକ ଓ ମାଧ୍ୟମିକ ସରକାରୀ ସ୍କୁଲରେ ୧ ଲକ୍ଷ ୫୭ ହଜାର ୪୩ ଜଣ ନିୟମିତ ଓ ୩୦ ହଜାର ୫୨୬ ଜଣ ଅସ୍ଥାୟୀ ଶିକ୍ଷକ ନିଯୁକ୍ତି ପାଇଛନ୍ତି । ଶିକ୍ଷକମାନଙ୍କ ପ୍ରଦର୍ଶନ ଉପରେ ବି ନଜର ରହିଛି । ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ପାଇଁ ବ୍ୟୟ ବରାଦ ହୋଇଥିବା ୧୩୯ କୋଟି ଟଙ୍କାରେ ସ୍କୁଲ, ଶିକ୍ଷକ, ଛାତ୍ରଛାତ୍ରୀଙ୍କ ସମେତ ଡିଇଓ ଓ ବିଇଓଙ୍କ ପ୍ରଦର୍ଶନକୁ ପରଖିବେ ରାଜ୍ୟ ସରକାର । ପ୍ରତି ବ୍ଲକର ଶ୍ରେଷ୍ଠ ତିନୋଟି ସ୍କୁଲ ପୁରସ୍କୃତ ହେବେ । ଯାହାକୁ ଶିକ୍ଷକ ମହଲରେ ସ୍ୱାଗତ କରାଯାଇଛି ।

ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରତି ଅଧିକ ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ବଜେଟ ପ୍ରସ୍ତୁତ କରାଯାଇଛି । ସରକାରୀ ସ୍କୁଲରେ ସଂପୂର୍ଣ୍ଣ ଭାବେ ମାଗଣା ପୋଷାକର ବ୍ୟବସ୍ଥା ହୋଇଛି । ଏଣିକି ନବମ ଓ ଦଶମ ଛାତ୍ରଛାତ୍ରୀ ବି ପାଇବେ ମାଗଣା ୟୁନିଫର୍ମ । ଏଥିସହ ଘରୋଇ ସ୍କୁଲ ପରି ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ଶିକ୍ଷକମାନଙ୍କ ଶିକ୍ଷାଦାନର ମନିଟରିଂ ପାଇଁ ନୋଟ୍ ବୁକ୍ ମିଳିବ । ସୂଚନା ଅନୁସାରେ ଚଳିତ ବଜେଟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୨୨ ହଜାର ୫୨୭ କୋଟି ୯୫ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି । ମୋ ସ୍କୁଲ ଅଭିଯାନ ପାଇଁ ୮୦୫ କୋଟି ସହ ସମୁଦାୟ ବ୍ୟୟବରାଦ ୨୩ ହଜାର ୩୩୨ କୋଟି ୯୫ ଲକ୍ଷ ଟଙ୍କାରେ ପହଞ୍ଚିଛି ।