ପୋଷ୍ଟ ଅଫିସରେ ଏନ୍ଏସ୍ଏସ୍ ଆକାଉଣ୍ଟ ବନ୍ଦ କଲେ ଦେବାକୁ ପଡ଼ିବ ଆୟକର

1 min read

ଭୁବନେଶ୍ବର : ମୂଳ ନିଅ କି ସୁଧ ନିଅ । ଯେ କୌଣସି ହାଲରେ ଟିକସ ଦିଅ । ଟିକସ ନଦେଲେ ଟଙ୍କା ତୁମର ନୁହଁ । ଏ ହେଉଛି କେନ୍ଦ୍ର ସରକାରଙ୍କ ଜମାକାରୀ ମାରଣ ନୀତି । ଏଣିକି ବନ୍ଦ ହୋଇଥିବା ସ୍କିମର ଜମା ଟଙ୍କା ଉପରେ ଆୟକର ଦେବେ ଲୋକେ । ପୋଷ୍ଟ ଅଫିସରେ ନ୍ୟାସନାଲ ସେଭିଙ୍ଗ୍ସ ସ୍କିମ୍-ଏନ୍ଏସ୍ଏସ୍ ଆକାଉଣ୍ଟ ବନ୍ଦ କଲେ ଦେବାକୁ ପଡ଼ିବ ଆୟକର । ଅକ୍ଟୋବର ପହିଲାରୁ କେନ୍ଦ୍ର ସରକାର ଲାଗୁ କରିଛନ୍ତି ଏପରି ନୀତି । ମୂଳଜମା ଓ ସୁଧ ଉପରେ ଆୟକର ଦେବେ ଜମାକାରୀ । ମୂଳ ଉପରେ ପୂର୍ବରୁ କୌଣସି ଆୟକର ଦେବାକୁ ପଡ଼ୁନଥିଲା । ୧୯୮୭ରେ କେନ୍ଦ୍ର ସରକାର ଏନ୍ଏସ୍ଏସ୍ ସ୍କିମ୍ ଯୋଜନା ଆରମ୍ଭ କଲେ । ଯେଉଁଥିରେ ଜଣେ ବ୍ୟକ୍ତି ବର୍ଷକୁ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କରିପାରିବ । ଜମା ଉପରେ ବାର୍ଷିକ ୭.୫ ପ୍ରତିଶତ ହାରରେ ସୁଧ ବି ମିଳୁଥିଲା । ନୂଆ ନିୟମ ଅନୁଯାୟୀ ଚଳିତବର୍ଷ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଏହି ସୁଧ ରାଶି ଜମାକାରୀଙ୍କ ଖାତାରେ ଜମା ହୋଇଯାଇଛି । ହେଲେ ଅକ୍ଟୋବର ପହିଲାରୁ ଆଉ ସେ ସ୍କିମରେ ସୁଧ ସୁବିଧାକୁ ହଟାଇ ଦେଇଛି କେନ୍ଦ୍ର ଅର୍ଥମନ୍ତ୍ରାଳୟ । ଏହାସହିତ ଏବେ ଏନ୍ଏସ୍ଏସ୍ ଜମାକାରୀ ଆକାଉଣ୍ଟ ବନ୍ଦ କରି ଟଙ୍କା ଉଠାଇଲେ ଉଭୟ ମୂଳ ଓ ସୁଧ ଉପରେ ୧୦ ପ୍ରତିଶତ ହାରରେ ଆୟକର ଗଣିବେ । କେନ୍ଦ୍ର ସରକାରଙ୍କ ଏପରି ନୀତି ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି । ଲୋକଙ୍କ କଷ୍ଟାର୍ଜିତ ଜମା ଉପରେ ଟିକସ ବସାଇବା ଆଦୌ ଗ୍ରହଣୀୟ ନୁହେଁ । ଏହାଦ୍ବାରା ପେନସନଭୋଗୀ ବରିଷ୍ଠ ନାଗରିକଙ୍କ ଭିତରେ ଘୋର ଅସନ୍ତୋଷ ପ୍ରକାଶ ପାଇବ ।

୧୯୯୨ ମସିହାରେ କେନ୍ଦ୍ର ସରକାର ଏହି ପୋଷ୍ଟାଲ ଜମା ସ୍କିମଟିକୁ ବନ୍ଦ କରିଦେଲେ ସିନା ପୂର୍ବରୁ ଜମା କରିଥିବା ଜମାକାରୀଙ୍କ ଆକାଉଣ୍ଟ ସଚଳ ରହିବା ସହ ସୁଧ ବି ମିଳିଆସୁଥିଲା । ସେପଟେ ୨୪୦୦ ଟଙ୍କା ସୁଧ ଉପରେ କୌଣସି ଆୟକର ଦେବାକୁ ପଡ଼ୁନଥିଲା । ତାଠୁ ଅଧିକ ସୁଧ ଉପରେ ପୋଷ୍ଟ ଅଫିସ ଟିଡିଏସ୍ କାଟୁଥିଲେ । ପୋଷ୍ଟାଲ କର୍ତ୍ତୃପକ୍ଷଙ୍କ କହିବା କଥା ଯେହେତୁ ଏହି ଜମା ଯୋଜନାଟିକୁ ଦୀର୍ଘବର୍ଷରୁ କେନ୍ଦ୍ର ସରକାର ବନ୍ଦ କରି ଦେଇଛନ୍ତି । ସେହି ଆକାଉଣ୍ଟ ହୋଲଡରଙ୍କୁ ଆଉ କୌଣସି ସୁଧ ଅର୍ଥ ଦେବାକୁ ଚାହୁଁନାହାନ୍ତି । ଫଳରେ ଧୀରେ ଧୀରେ ଜମାକାରୀ ଏହି ଆକାଉଣ୍ଟ୍କୁ ବନ୍ଦ କରି ଟଙ୍କା ଉଠାଇବାକୁ ବାଧ୍ୟ ହେବେ । ଏନ୍ଏସ୍ଏସ୍ ଜମାକାରୀଙ୍କୁ ଏଥିପାଇଁ ମୁଖ୍ୟ ଡାକଘରକୁ ଆସି ଟଙ୍କା ଉଠାଇବାକୁ ପଡ଼ିବ । ଏପରି ଜମାକାରୀ ଆସିବାମାତ୍ରେ ସେମାନଙ୍କ ଆକାଉଣ୍ଟ୍ ବନ୍ଦ କରିବାକୁ ପୋଷ୍ଟ ଅଫିସ ପକ୍ଷରୁ ପରାମର୍ଶ ଦିଆଯାଉଛି ।

କେନ୍ଦ୍ର ସରକାରଙ୍କୁ ଘାରିଛି ଟିକସ ଚିନ୍ତା । ଚୁଡ଼ା, ମୁଢ଼ି ପ୍ୟାକେଟ୍ ଉପରେ ଜିଏସ୍ଟି ଛାଡ଼ିଲେନି । ଏବେ ଲୋକଙ୍କ ମୂଳ ଜମା ଉପରେ ଆୟକର ବସାଇ ସିଧା ସିଧା ପକେଟ୍ କାଟିବା ଯୋଜନା କରିଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରାଳୟର ଏପରି ନୀତି ଜନ କଲ୍ୟାଣକାରୀ ନା ଜନ ମାରଣ ନୀତି ତାକୁ ନେଇ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି ।