ଶିମିଳିପାଳରେ ପଡ଼ୁଛି ବରଫ, ପ୍ରବଳ ଥଣ୍ଡା ଯୋଗୁ ଅସ୍ତବ୍ୟସ୍ତ ଜୀବନ

ନନ୍ଦିଘୋଷ ବ୍ୟୁରୋ: ଥଣ୍ଡାର ପ୍ରକୋପରେ ଥୁଡୁକି ଯାଉଛି ଦେହ  । ଭୋରରୁ ବାଟ ଚାଲିବା ମୁସକିଲ କରୁଛି କୁହୁଡି । ସକାଳ ୯ଟାରେ ବି ଘରୁ ବାହାରିବା ଅସମ୍ଭବ ହେଉଛି  । ଶୀତରୁ ରକ୍ଷା ପାଇଁ ନିଆଁର ସାହାରା ନେଉଛନ୍ତି ଲୋକ  । ମୟୂରଭଞ୍ଜ ଜିଲ୍ଲାରେ ଶୀତର ପ୍ରକୋପ ବଢିବାରେ ଲାଗିଛି  । ଥଣ୍ଡାରେ ଅସ୍ତବ୍ୟସ୍ତ ହୋଇ ପଡିଛି ଜୀବନ  । ଶିମିଳିପାଳରେ ସର୍ବନିମ୍ନ ତାପମାତ୍ରା ୧ ଡ଼ିଗ୍ରୀରେ ପହଞ୍ଚିଛି  । ଫଳରେ ସକାଳୁ ସକାଳୁ ଘାସ ଉପରେ ବରଫ ପଡୁଥିବା ଦେଖିବାକୁ ମିଳିଛି  ।

ସେପଟେ ଥଣ୍ଡାରେ ଥରୁଛି ସୁନ୍ଦରଗଡ଼ । ଚଳିତ ବର୍ଷ ଡେରିରେ ଆସିଛି ହେଲେ ଜନ ଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି ଶୀତ । କିଛି ଦିନ ହେବ ସୁନ୍ଦରଗଡ ବିଭିନ୍ନ ସ୍ଥାନରେ ପାରଦ ୮ ଡିଗ୍ରୀ ତଳକୁ ଖସିଛି । ଲୋକେ ଥଣ୍ଡାରୁ କିଭଳି ନିଜକୁ ରକ୍ଷା କରିବେ ସେ ନେଇ ଯୋଗାଡ ଲଗାଇଛନ୍ତି  ।

ଜଙ୍ଗଲୀ ଫୁଲରେ ମୋତି ଭଳି ଝଲସୁଛି ଶିଶିର ବିନ୍ଦୁ  । ଶୀତଳ ଜଳକୁ ଢାଙ୍କି ରଖିଛି କୁହୁଡି।  ଥଣ୍ଡାର ସ୍ପର୍ଶରେ ପ୍ରକୃତି ଅପରୂପ ଦୃଶ୍ୟ ଦେଖି ଆନମନା ହୋଇଛି କବି ମନ  ।