ରାଜ୍ୟ ଦାବି ଆଗରେ ମୁଣ୍ଡ ନୁଆଁଇଲା କେନ୍ଦ୍ର, କେନ୍ଦୁପତ୍ର ଉପରୁ ସଂପୂର୍ଣ୍ଣ କର ମୁକ୍ତି ନେଇ ଅନୁଧ୍ୟାନ କରିବ ଫିଟମେଣ୍ଟ କମିଟି

 

ନୂଆଦିଲ୍ଲୀ: ରାଜ୍ୟ ଦାବି ଆଗରେ ମୁଣ୍ଡ ନୋଇଁଲା କେନ୍ଦ୍ର । କେନ୍ଦୁପତ୍ର ଉପରୁ ଜିଏସଟି ମୁକ୍ତ ନେଇ ଅନୁଧ୍ୟାନ କରିବ ଫିଟମେଣ୍ଟ କମିଟି । ରାଜ୍ୟ ସରକାରଙ୍କ ଗର୍ଜ୍ଜନ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ଦେଲେ ପ୍ରତିଶ୍ରୁତି । କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଓ କର୍ମଚାରୀଙ୍କୁ ହକ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ସ୍ବର ଉଠାଇ ଆସିଛନ୍ତି । ୮ ଲକ୍ଷ ଆଦିବାସୀ ମହିଳା ଓ ତୋଳାଳିଙ୍କ ଜୀବନ ଜୀବିକା ରକ୍ଷା ଲାଗି ଏକାଧିକ ଚିଠି ଲେଖିଛନ୍ତି । ହେଲେ କେନ୍ଦ୍ର କିନ୍ତୁ ଏହାକୁ ଅଣଦେଖା କରିଚାଲିଥିଲା । ଆଜି ୪୮ତମ ଜିଏସଟି ପରିଷଦ ବୈଠକରେ ଘମାଘୋଟ ଆଲୋଚନା ପରେ ନରମ ପଡିଛି କେନ୍ଦ୍ର । କେନ୍ଦୁପତ୍ରରୁ ତିଆରି ବିଡ଼ି ଉପରେ ୨୮ ପ୍ରତଶତ ଜିଏସଟି ଲାଗୁଛି । ଏଥିରେ ୧୪ ପ୍ରତିଶତ ରାଜସ୍ବ ପାଉଛି କେନ୍ଦ୍ର । ତାହେଲେ କାହିଁକି କେନ୍ଦୁପତ୍ର ଉପରେ ଜିଏସ୍ଟି ଲାଗିବ ? କେନ୍ଦୁପତ୍ରକୁ ସମ୍ପୂର୍ଣ୍ଣ ଜିଏସଟି ମୁକ୍ତ କଲେ ନା ରାଜ୍ୟର କି କେନ୍ଦ୍ର କିଛି ବି କ୍ଷତି ହେବନାହିଁ । ଓଡ଼ିଶାର ଏପରି ଜୋରଦାର ଯୁକ୍ତି ଆଗରେ ମୁଣ୍ଡ ନୂଆଁଇଛି କେନ୍ଦ୍ର ।

ଓଡ଼ିଶା ସହିତ ସ୍ବର ମିଳାଇଛି ତେଲେଙ୍ଗାନା । ଲଘୁବନଜାତ ଦ୍ରବ୍ୟ କେନ୍ଦୁପତ୍ର ଉପରୁ ୧୮ ପ୍ରତିଶତ ଜିଏସଟି ଛାଡ଼ ନେଇ ମୁଖ୍ୟମନ୍ତ୍ରୀ ଶେଷଥର ପାଇଁ ଗତମାସ ୨୫ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । କେନ୍ଦ୍ରର ମନମାନି ଚରମ ସୀମାରେ ଥିବାବେଳେ ତୋଳାଳି ଓ ସିଜିନାଲ କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଚଳିତ ଆର୍ଥିକ ବର୍ଷ ଜୁନ୍ ମାସରେ ରାଜ୍ୟକୁ ଜିଏସଟି କ୍ଷତିପୂରଣ ଆଇନର ଅବଧି ସରିଛି । ଏହି କ୍ଷତିପୂରଣ ଅବଧି ବୃଦ୍ଧି ନେଇ ପଞ୍ଜାବ, ତେଲେଙ୍ଗାନା, ତାମିଲନାଡ଼ୁ, ରାଜସ୍ଥାନ, ଝାଡଖଣ୍ଡ ଓ ଛତିଶଗଡ଼ ବୈଠକରେ ଦାବି କରିଛନ୍ତି ।