ଦିଲ୍ଲୀରେ ପ୍ରଦର୍ଶିତ ହେଲା ପ୍ରଥମ ଓଡ଼ିଆ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ‘ମହାନଦୀ’

ନୂଆଦିଲ୍ଲୀ : ଦିଲ୍ଲୀରେ ଆୟୋଜିତ ଚତୁର୍ଥ ନଦୀ ଉତ୍ସବରେ ଉଦଘାଟନୀ ଚଳଚ୍ଚିତ୍ର ଭାବରେ ପ୍ରଦର୍ଶିତ ହେଲା ପ୍ରଥମ ଓଡ଼ିଆ ଡକ୍ୟୁମେଣ୍ଟାରୀ ମହାନଦୀ । ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ଇନ୍ଦିରା ଗାନ୍ଧୀ ନ୍ୟାସନାଲ ସେଣ୍ଟର ଫର ଆର୍ଟ, କଳା ଓ ସଂସ୍କୃତି ପାଇଁ ଉତ୍ସର୍ଗୀକୃତ ଏହି ଅନୁଷ୍ଠାନ ଗତ କିଛିବର୍ଷ ଧରି ନଦୀ ଉତ୍ସବ ଆୟୋଜନ କରିଆସୁଛି । ଭାରତର ପ୍ରାୟ ସମସ୍ତ ରାଜ୍ୟରୁ ଚଳଚ୍ଚିତ୍ର ନିର୍ମାତା ଡକ୍ୟୁମେଣ୍ଟାରୀ ଫିଲ୍ମ ଫେଷ୍ଟିଭାଲ ପାଇଁ ଚଳଚ୍ଚିତ୍ର ପଠାଇଥିଲେ । ସେଥିମଧ୍ୟରୁ 12 ଟି ସ୍କ୍ରିନିଂ ପାଇଁ ମନୋନୀତ ହୋଇଥିଲା ।

ଏହି ତିନି ଦିନିଆ ନଦୀ ମହୋତ୍ସବରେ ଉଦଘାଟନୀ ଚଳଚ୍ଚିତ୍ର ଭାବରେ ମହାନଦୀ – କବିଙ୍କ କଳ୍ପନାରେ ନଦୀ ମନୋନୀତ ହୋଇଥିଲା । ମହାନଦୀ ଫିଲ୍ମ ସ୍କ୍ରିନିଂ ପରେ ଏକ ଆଲୋଚନା ଅଧିବେଶନ ଆୟୋଜିତ ହୋଇଥିଲା । ଯେଉଁଠାରେ ଫିଲ୍ମର ନିର୍ଦ୍ଦେଶକ ଯୁବନାଶ୍ବ ମିଶ୍ର, ନିର୍ମାତା ଅଶୋକ କୁମାର ପଣ୍ଡା ଏବଂ ଚଳଚ୍ଚିତ୍ରର ସାହିତ୍ୟିକ ଗବେଷକ ଅଶ୍ୱିନୀ କୁମାର ମିଶ୍ର ଉପସ୍ଥିତ ଥିଲେ ।