ଆସନ୍ତାକାଲି ହୀରାକୁଦ ଛାଡ଼ିବ ବର୍ଷର ପ୍ରଥମ ବନ୍ୟାଜଳ, ତଳମୁଣ୍ଡରେ ଥିବା ଜିଲ୍ଲାକୁ ସତର୍କତା
ସମ୍ବଲପୁର: ଆସନ୍ତାକାଲି ଖୋଲିବ ହୀରାକୁଦ ଜଳଭଣ୍ଡାର । ଦିନ ୧୧ଟାରେ ହୀରାକୁଦରୁ ଛଡ଼ାଯିବ ବର୍ଷର ପ୍ରଥମ ବନ୍ୟାଜଳ । ଗେଟ୍ ଖୋଲିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କାଲି ସକାଳେ ପୂଜାର୍ଚ୍ଚନା କରାଯାଇ ପ୍ରଥମେ ୭ ନମ୍ବର ସ୍ଲୁଇସ ଗେଟ ଖୋଲାଯିବ । ଜଳପତ୍ତନ ଓ ପ୍ରବେଶକୁ ଦୃଷ୍ଟିରେ ରଖି ପର୍ଯ୍ୟାୟକ୍ରମେ ୫ଟି ଗେଟ ଖୋଲାଯିବ ବୋଲି ହୀରାକୁଦ ଜଳଭଣ୍ଡାରର ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।
ଗେଟ୍ ଖୋଲାଯାଉଥିବାରୁ ତଳମୁଣ୍ଡରେ ଥିବା ୧୨ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗେଟ୍ ଖୋଲିବା ପରେ ମହାନଦୀ ଓ ଶାଖାନଦୀ ଗୁଡ଼ିକରେ ଜଳସ୍ତର ବଢ଼ିବ । ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି । ଏହି ସମୟରେ ମହାନଦୀ ଭିତରେ ବୁଲାବୁଲି ନକରିବା, ଗାଈଗୋରୁଙ୍କୁ ମହାନଦୀ ଶଯ୍ୟାକୁ ନଛାଡ଼ିବା, ମାଛ ମାରିବା ପାଇଁ ନଯିବାକୁ ପରାମର୍ଶ ଦିଆଯାଇଛି ।