ଜଳୁଛି ଜଙ୍ଗଲ, ଗୋଟିଏ ଜଙ୍ଗଲରୁ ଆଉ ଗୋଟିଏ ଜଙ୍ଗଲକୁ ବ୍ୟାପୁଛି ନିଆଁ

ବଲାଙ୍ଗୀର: ଜଙ୍ଗଲ ନିଆଁର ଆଁରେ ପୂରା ଓଡ଼ିଶା । ଗୋଟିଏ ଜଙ୍ଗଲରୁ ଆଉ ଗୋଟିଏ ଜଙ୍ଗଲକୁ ବ୍ୟାପୁଛି ନିଆଁ । ବଲାଙ୍ଗୀର ବଙ୍ଗୋମୁଣ୍ଡା ବନାଞ୍ଚଳ ଅଧିନସ୍ତ ସିନ୍ଧେକେଲା ନିକଟରେ ଥିବା ଗିଦଘରା ପାହାଡ଼, ମହାଖଣ୍ଡର ଛତରଦାଣ୍ଡି, ଛତ୍ରରଙ୍ଗ ଆଦି ଜଙ୍ଗଲରେ ନିଆଁ ବ୍ୟାପିବାରେ ଲାଗିଛି । କେଉଁଠି ଶିକାର ଉଦ୍ଦେଶ୍ୟରେ ଶିକାରୀ ଜଙ୍ଗଲରେ ନିଆଁ ଲଗାଉଛି ତ ଆଉ କେଉଁଠି ସଚେତନତା ଅଭାବରୁ ଲାଗୁଛି ନିଆଁ । ଜଙ୍ଗଲରେ ନିଆଁ ଲାଗୁଥିବା ଯୋଗୁ ବହୁ ମୂଲ୍ୟବାନ କାଠ, ଜଙ୍ଗଲଜାତ ଦ୍ରବ୍ୟ ନଷ୍ଟ ହେବା ସହ ଜଙ୍ଗଲୀ ପଶୁ ପକ୍ଷୀ ମଧ୍ୟ ଭୟଭୀତ ହେଉଛନ୍ତି ।

ଅନେକ ସମୟରେ ପଶୁ ପକ୍ଷୀଙ୍କ ଜୀବନ ଯାଉଥିବା ମଧ୍ୟ ନଜିର ହେଉଛି । ନିଆଁକୁ ଆୟତ୍ତ କରିବା ପାଇଁ ଫାୟାର ସ୍କ୍ୱାର୍ଡ ଓ ବନ ବିଭାଗର କର୍ମଚାରୀ ଲାଗିଛନ୍ତି । ନିଆଁ ହୁତୁ ହୁତୁ ହୋଇ ଜଳୁଥିବାରୁ ଏହା ପରିବେଶ ପ୍ରେମୀ ଓ ସଚେତନ ନାଗରିକଙ୍କୁ ବ୍ୟଥିତ କରିଛି । ବଙ୍ଗୋମୁଣ୍ଡା ରେଞ୍ଜରେ ୧୨ରୁ ୧୫ଟି ଫାୟାର ସ୍କ୍ବାର୍ଡ ନିଯୁକ୍ତ କରାଯାଇଛି । ବନ ବିଭାଗ ପକ୍ଷରୁ ଲୋକଙ୍କୁ ଜଙ୍ଗଲରେ ନିଆଁ ନଲଗେଇବାକୁ ସଚେତନ କରାଯାଉଛି ବୋଲି କହିଛନ୍ତି ବଙ୍ଗୋମୁଣ୍ଡା ରେଞ୍ଜର ।