ବିଧାନସଭାରେ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚଦାବି ଆଗତ, ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
1 min readଭୁବନେଶ୍ୱର: ଆଜି ବିଧାନସଭାରେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚ ଦାବି ଆଗତ ହୋଇଛି । ବିଧାନସଭାରେ ୨୦୨୩-୨୪ ଆର୍ଥକ ବର୍ଷ ପାଇଁ ଖର୍ଚ୍ଚ ଦାବି ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଲୋଚନା ପରେ ଦୁଇ ବିଭାଗର ଖର୍ଚ୍ଚ ଦାବି ମଂଜୁରୀ ଲାଭ କରିବ । ତେବେ ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିରୋ ଟଲରାନ୍ସ୍ କାର୍ଯ୍ୟକାରୀ ହେଉଛି । ଲୋକାୟୁକ୍ତ ବ୍ୟବସ୍ଥାରେ କଡ଼ା କାର୍ଯ୍ୟାନୁଷ୍ଠାନ ହେଉଛି । ଗତବର୍ଷ ଓଡ଼ିଶା ଲୋକାୟୁକ୍ତଙ୍କ ପାଖରେ ୫୫୮ଟି ଦୁର୍ନିତୀ ମାମଲା ବିଚାର ହୋଇଛି । ସେହିପରି ଦୁର୍ନୀତି କରି ଭିଜିଲାନ୍ସ୍ ହାତରେ ଧରାପଡ଼ିଛନ୍ତି ୫୫୭ ଜଣ ସରକାରୀ ଅଧିକାରୀ । ଚାକିରିରୁ ବରଖାସ୍ତ ହୋଇଛନ୍ତି ୩୦ ଜଣ । ଓପିଏସପି ଦ୍ବାରା କରାଯାଉଥିବା ନିଯୁକ୍ତି ପରୀକ୍ଷାକୁ ଆହୁରି ସ୍ବଚ୍ଛ ଓ ଶୀଘ୍ର ଫଳାଫଳ ପ୍ରକାଶ ପାଇଁ ନିଆଯାଇଛି ସ୍ବତନ୍ତ୍ର ପଦକ୍ଷେପ ।
ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ବାର୍ଷିକ କାର୍ଯ୍ୟାବଳୀ ବିବରଣୀରେ ଏପରି କିଛି ବାସ୍ତବ ଚିତ୍ର ଉଲ୍ଲେଖ କରିଛନ୍ତି ସରକାର । କେବଳର ପ୍ରଶାସନକୁ ସୁଦୃଢ଼ କରାଯାଇନି ଅସହାୟ ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଗତବର୍ଷ ଡିସେମ୍ବର ସୁଦ୍ଧା ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ୫୮୬ ଜଣ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ପ୍ରଦାନ କରାଯାଇଛି ୪ କୋଟି ୪୪ ଲକ୍ଷ ୯୦ ହଜାର ଟଙ୍କା । ସେହିପରି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୪୫ ଜଣ ବ୍ୟକ୍ତିଙ୍କ ପରିବାରକୁ ସହାୟତା ବାବଦରେ ପ୍ରଦାନ କରାଯାଇଛି ୮୯ ଲକ୍ଷ ଟଙ୍କା ।