ନନ୍ଦିଘୋଷ ବ୍ୟୁରୋ : ବଢ଼ିଲା e-KYC ଅବଧି। ଆସନ୍ତା ଡିସେମ୍ବର ୩୧ ଯାଏ ଅବଧି ବଢ଼ାଇଲେ ସରକାର। ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଥିବା ସମସ୍ତ ପିଡ଼ିଏସ ହିତାଧିକାରୀ ହେବେ ଉପକୃତ। ବର୍ତ୍ତମାନ ହିତାଧିକାରୀଙ୍କ ଆଧାରଭିତ୍ତିକ ଇ-କେୱାଇସି ପ୍ରକ୍ରିୟା ଜାରି ରହିଛି। ସମସ୍ତ ୧୧,୮୨୭ ଗୋଟି ଖାଉଟି ସୁଲଭ ମୂଲ୍ୟ ଦୋକାନ ତଥା ୩୧୪ ବ୍ଲକ ଓ ୬୪ ପୌରାଞ୍ଚଳ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ରାସନ କାର୍ଡ଼ ପରିଚାଳନା କେନ୍ଦ୍ର ଗୁଡ଼ିକରେ ଜାରି ରହିଛି I କୌଣସି ଯୋଗ୍ୟ ହିତାଧିକାରୀଙ୍କୁ ଇ-କେ.ୱାଈ.ସି ହୋଇନଥିବା କାରଣରୁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ କରାଯାଇନାହିଁ I କୌଣସି କାରଣରୁ ଈ-କେ.ୱାଈ.ସି କରାଇ ନ ପାରିଥିବା ହିତାଧିକାରୀ ଡିସେମ୍ବର ୩୧ ସୁଦ୍ଧା ନିକଟସ୍ଥ ଖାଉଟି ସୁଲଭ ମୂଲ୍ୟ ଦୋକାନ ବା ରାସନ କାର୍ଡ଼ ପରିଚାଳନା କେନ୍ଦ୍ରକୁ ଯାଇ ନିଜ ଆଧାର ଯୁକ୍ତ ଈ-କେ.ୱାଈ.ସି କରାଇ ପାରିବେ ।

