ଆଉ ୫ ବର୍ଷ ବଢିଲା ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାର ଅବଧି

ଭୁବନେଶ୍ୱର : ଆଉ ୫ ବର୍ଷ ବଢିଲା ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାର ଅବଧି । ୨୦୨୪ ଜାନୁଆରୀ ପହିଲାରୁ ୨୦୨୮ ଡିସେମ୍ବର ୩୧ ପର୍ଯ୍ୟନ୍ତ ଅବଧି ବଢାଇଲେ ରାଜ୍ୟ ସରକାର । ୧୦ ଲକ୍ଷ ହିତାଧିକାରୀ ମାସକୁ ୫ କେଜି ଲେଖାଏଁ ମାଗଣା ଚାଉଳ ପାଇବେ। ଏଥିପାଇଁ ୧୨୫୦ କୋଟି ଟଙ୍କା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର। ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାରେ ରାଜ୍ୟର ୩ ଲକ୍ଷ ୧୪ ହଜାର ୯୨୩ ପରିବାରର ୯ ଲକ୍ଷ ୯୭ ହଜାର ୫୫ ଜଣ ବ୍ୟକ୍ତି ଅନ୍ତର୍ଭୁକ୍ତ ହୋଇଛନ୍ତି । ମାଗଣାରେ ମାସକୁ ୫ କେଜି ଲେଖାଏଁ ଚାଉଳ ପାଉଛନ୍ତି ହିତାଧିକାରୀ ।

ଯୋଜନାର ଅବଧି ଆଉ ୫ ବର୍ଷ ବଢିବା ଦ୍ୱାରା ହିତାଧିକାରୀମାନେ ୨୦୨୪ ଜାନୁଆରୀ ୧ ଠାରୁ ୨୦୨୮ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହି ସୁବିଧା ପାଇବେ । ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୨୫୦ କୋଟି ଟଙ୍କା ହିସାବରେ ୫ ବର୍ଷରେ ୧୨୫୦ କୋଟି ଟଙ୍କା ନିଜ ପାଣ୍ଠିରୁ ଖର୍ଚ୍ଚ କରିବେ। ରାଜ୍ୟର ଜଣେବି ଗରିବ ଲୋକ ଯେପରି ଖାଦ୍ୟସୁରକ୍ଷାରୁ ବଞ୍ଚିତ ନହୁଏ ସେଥିପ୍ରତି ଦୃଷ୍ଟି ରଖିବାକୁ ମୁଖ୍ୟମନ୍ତ୍ରୀ ଦୃଢ ନିର୍ଦ୍ଦେଶ ଦେଇଛନ୍ତି ।