spot_img

Latest Posts

୨୦୨୦-୨୧ ସୁଦ୍ଧା ବିଭିନ୍ନ ସ୍ରୋତରୁ ରାଜ୍ୟ ସରକାର କରିଛନ୍ତି ୧ ଲକ୍ଷ ୩ ହଜାର ୪୧୦ କୋଟି ଋଣ

ଭୁବନେଶ୍ୱର: ବଢ଼ୁଛି ରାଜ୍ୟର ଋଣଭାର । କ୍ରମାଗତ ଭାବେ ରାଜ୍ୟର ଋଣଭାର ବଢ଼ିବାରେ ଲାଗିଛି । ୨୦୨୦-୨୦୨୧ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ଋଣଭାର ୧ ଲକ୍ଷ ୩ ହଜାର ୪୧୦ କୋଟି ଟଙ୍କା ରହିଥିବା ବିଧାନସଭାରେ ମନ୍ତ୍ରୀ ଉତ୍ତର ରଖିଛନ୍ତି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ଏହି ତଥ୍ୟ ଦେଇଛନ୍ତି ।

ତେବେ ନିରଞ୍ଜନ ପୂଜାରୀ ନିଜ ଉତ୍ତରରେ କହିଛନ୍ତି ଯେ, ରାଜ୍ୟ ସରକାର ସାଧାରଣତଃ ବିଭିନ୍ନ ଆନ୍ତର୍ଜାତୀୟ ସଂସ୍ଥା, ଭାରତ ସରକାର, ଆଭ୍ୟନ୍ତରୀଣ ସୂତ୍ର, ଭବିଷ୍ୟନିଧି ପାଣ୍ଠି ଓ ଅନ୍ୟାନ୍ୟ ପାଣ୍ଠିରୁ ଋଣ ଆହରଣ କରିଥାନ୍ତି । ବାହ୍ୟ ସାହାଯ୍ୟପ୍ରାପ୍ତ ପ୍ରକଳ୍ପ ତଥା ଭିତ୍ତିଭୂମି ସୃଷ୍ଟି ପାଇଁ ରଜ୍ୟ ସରକାର ବିଭିନ୍ନ ଆନ୍ତର୍ଜାତୀୟ ଋଣ ପ୍ରଦାନକାରୀ ସଂସ୍ଥାମାନଙ୍କଠାରୁ ସହାୟତା ନେଉଛନ୍ତି । ବର୍ତ୍ତାମନ ଜଳସେଚନ, ଶକ୍ତି, ସଡ଼କ, ବିପର୍ଯ୍ୟୟ ପରିଚାଳନା, ସହରାଞ୍ଚଳ ଭିତ୍ତିଭୂମି ପରି ପ୍ରକଳ୍ପ ଗୁଡ଼ିକ ପାଇଁ ଓ୍ୱାର୍ଲ୍ଡ ବ୍ୟାଙ୍କ, ଏସିଆନ୍‌ ଡେଭଲପ୍‌ମେଣ୍ଟ ବ୍ୟାଙ୍କ, ଇଣ୍ଟରନାସନାଲ ଫଣ୍ଡ ଫର୍‌ ଏଗ୍ରିକଲ୍‌ଚରାଲ ଡେଭଲପ୍‌ମେଣ୍ଟ, ଜାପାନ ଇଣ୍ଟରନାସନାଲ କର୍ପୋରେସନ୍‌ ଏଜେନ୍ସି, କେଏଫ୍‌ଡବ୍ଲ୍ୟୁ ଡଭ୍‌ଲପ୍‌ମେଣ୍ଟ ବ୍ୟାଙ୍କ, ବ୍ରିକ୍ସ ବ୍ୟାଙ୍କ, ଏଆଇଆଇବି ଆଦି ସଂସ୍ଥା ମାନଙ୍କରୁ ବାହ୍ୟ ସହାୟତା ଗ୍ରହଣ କରାଯାଇଛି ।‌

ତେବେ ରାଜ୍ୟ ସରକାର ଋଣ କରିଥିବା ଏହି ୧ ଲକ୍ଷ ୩ ହଜାର ୪୧୦ କୋଟି ଟଙ୍କା ମଧ୍ୟରେ ୬ ହଜାର ୩୪୭ କୋଟି ଟଙ୍କା ବୈଦେଶିକ ଋଣ ସାମିଲ ରହିଛି । ନାବାର୍ଡ ଠାରୁ ରାଜ୍ୟ ସରକାର ୧୫ ହଜାର ୬୨୩ କୋଟି ଟଙ୍କା ଋଣ ଆଣିଛନ୍ତି । ରାଜ୍ୟ ସରକାରଙ୍କ ଆଭ୍ୟନ୍ତରୀଣ ଋଣର ପରିମାଣ ୫୩ ହଜାର ୩୮୫ କୋଟି ଟଙ୍କା ରହିଛି । ତେବେ ରାଜ୍ୟର ବର୍ତ୍ତମାନ ମୁଣ୍ଡପିଛା ଋଣଭାର ୨୩ ହଜାର ୫୨୪ ଟଙ୍କାରେ ପହଞ୍ଚିଥିବା ନିରଞ୍ଜନ ପୂଜାରୀ କରିଛନ୍ତି । ୨୦୦୯-୨୦୧୦ ମସିହାରେ ରାଜ୍ୟର ଋଣ ଭାର ୯୧୮୦ ଟଙ୍କା ରହିଥିଲା ବୋଲି ତଥ୍ୟ ରହିଛି ।

Latest Posts

Don't Miss