ଆର୍ଥିକ ବ୍ୟବସ୍ଥାର ବିପରୀତ ଚିତ୍ର, ବର୍ଷକରେ ଦେଶର ଋଣ ବୋଝ ବଢ଼ିଛି ୮.୨ ପ୍ରତିଶତ

ନୂଆଦିଲ୍ଲୀ: କରଜରେ ବୁଡ଼ିଛି ଭାରତ । କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ୨୮ତମ ରିପୋର୍ଟ ଜାରି ହୋଇଛି । ବର୍ଷକରେ ଦେଶର ଋଣ ବୋଝ ବଢ଼ିଛି ୮.୨ ପ୍ରତିଶତ । ଦେଶର ସ୍ୱର୍ଣ୍ଣ ଭଣ୍ଡାରରେ ୨୭.୧କୋଟି ଡଲାର ହ୍ରାସ ହୋଇଛି । ବର୍ଷକରେ ୬୯ ବିଲିଅନ ଡଲାର କମିଛି ବୈଦେଶିକ ପାଣ୍ଠି । କେନ୍ଦ୍ର ସରକାରଙ୍କ ରିପୋର୍ଟ ଅନୁସାରେ ଭାରତ ବ୍ରିଟେନକୁ ଅତିକ୍ରମ କରି ଅନ୍ୟତମ ବୃହତ ଅର୍ଥନୀତିରେ ପରିଣତ ହୋଇଛି । ଦେଶର ଅର୍ଥବ୍ୟବସ୍ଥା ସୁଦୃଢ଼ ହେଉଛି । ୫ ଟ୍ରିଲିଅନ ଅର୍ଥନୀତିର ନିକଟତର ହେବାରେ ଲାଗିଛି । ହେଲେ ବିଡ଼ମ୍ବନା ହେଉଛି କେନ୍ଦ୍ର ସରକାର ଦେଶର ବିକଶିତ ଅର୍ଥ ବ୍ୟବସ୍ଥାର ଯେଉଁ ଗୋଲାପୀ ଛବି ଦେଖାଉଛନ୍ତି, ବାସ୍ତବିକତା ହେଉଛି ତା’ର ବିପରିତ । ବର୍ଷକ ମଧ୍ୟରେ ଭାରତର ଋଣ ବୋଝ ୮ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି ।

କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ବିଦେଶୀ ଋଣ ଷ୍ଟାଟସ୍ ରିପୋର୍ଟର ୨୮ତମ ସଂସ୍କରଣରେ ପ୍ରକାଶିତ ହୋଇଛି ତଥ୍ୟ । କେବଳ ସେତିକି ନୁହେଁ ବର୍ଷକରେ ବୈଦେଶିକ ପାଣ୍ଠି ୬୯ ବିଲିଅନ ଡଲାର ହ୍ରାସ ପାଇ ୫୭୩.୯ ବିଲିଅନ ଡଲାରରେ ପହଞ୍ଚିଛି । ବିଦେଶ ବଜାରରୁ ଭାରତ ପ୍ରଚୁର ଋଣ ଉଠାଇଛି । ପୂର୍ବ ବର୍ଷ ତୁଳନାରେ ଉପରୋକ୍ତ ଋଣ ପରିମାଣରେ ୮.୨ ପ୍ରତିଶତ ବୃଦ୍ଧି ଘଟିଛି । ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ଭାରତର ବୈଦେଶିକ ଋଣ ପରିମାଣ ୬୨୦.୭ ବିଲିଅନ ଡଲାରରେ ପହଞ୍ଚିଛି । ମାର୍ଚ୍ଚ ୨୦୨୧ ଶେଷ ବେଳକୁ ଋଣ ପରିମାଣ ୫୭୩.୭ ବିଲିଅନ ଡଲାର ରହିଥିଲା । ଋଣ ମଧ୍ୟରୁ ୫୩.୨ ପ୍ରତିଶତ ଆମେରିକୀୟ ଡଲାରରେ ରହିଥିବା ବେଳେ ଭାରତୀୟ ଟଙ୍କା ହିସାବରେ ୩୧.୨ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି ।