ମେଘାଳୟ ହନିମୁନ ମର୍ଡର ମିଷ୍ଟ୍ରିର ସାଂଘାତିକ ସତ, ବାପ ଘରକୁ ଆସି ସୋନମ ରଚିଥିଲେ ଷଡଯନ୍ତ୍ର
1 min read
ନନ୍ଦିଘୋଷ ବ୍ୟୁରୋ : ମେଘାଳୟ ହନିମୁନ ମର୍ଡର ମିଷ୍ଟ୍ରିର ସାଂଘାତିକ ସତ। ବିବାହର ୪ ଦିନ ପରେ ପ୍ରସ୍ତୁତ ହୋଇଥିଲା ମର୍ଡର ପ୍ଲଟ। ବାପ ଘରକୁ ଆସି ସୋନମ ରଚିଥିଲେ ଷଡଯନ୍ତ୍ର। ଏନେଇ ସୂଚନା ଦେଇଛି ପୋଲିସ। ଅଧିକ ତଦନ୍ତ ପାଇଁ ଅଭିଯୁକ୍ତ ସୋନମଙ୍କୁ ଉତ୍ତରପ୍ରଦେଶ ଗାଜିପୁରରୁ ବିହାର ଓ ପରେ କୋଲକାତା ଦେଇ ଗୌହାଟି-ସିଲଂକୁ ନିଆଯାଇଛି। ସିଲଂ ପୋଲିସ ଦ୍ୱାରା ଏ ପର୍ଯ୍ୟନ୍ତ କରାଯାଇଥିବା ତଦନ୍ତରେ ଜଣାପଡିଛି ଯେ, ଏହି ହତ୍ୟାକାଣ୍ଡରେ ସୋନମଙ୍କ ଭୂମିକାକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ପୋଲିସ କହିଛି ଯେ ସୋନମ ତାଙ୍କ ପ୍ରେମିକ ରାଜ କୁଶୱାହାଙ୍କ ସହିତ ମିଶି ତାଙ୍କ ସ୍ୱାମୀ ରାଜା ରଘୁବଂଶୀଙ୍କୁ ହତ୍ୟା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ଏହା ହଠାତ୍ ନିଷ୍ପତ୍ତି ନଥିଲା, ବରଂ ଏକ ସମ୍ପୂର୍ଣ୍ଣ ଯୋଜନାବଦ୍ଧ ହତ୍ୟାକାଣ୍ଡ ଥିଲା।
କୁହାଯାଉଛି ଯେ ଏହି ଷଡ଼ଯନ୍ତ୍ର କରିବା ପାଇଁ ୪ ଜଣ କଣ୍ଟ୍ରାକ୍ଟ କିଲରଙ୍କୁ ସିଲଂ ଡକାଯାଇଥିଲା। ପୋଲିସ ଏହି ୪ ଜଣଙ୍କୁ ମଧ୍ୟ ଗିରଫ କରିଛି। ଏବଂ ସେମାନଙ୍କୁ ପଚରାଉଚରା ବେଳେ ଷଡ଼ଯନ୍ତ୍ରର ଅନେକ ତଥ୍ୟ ହାସଲ କରିଛି ପୋଲିସ। ସିଲଂ ପୋଲିସର କହିବା ଅନୁସାରେ, ପ୍ରେମିକ ରାଜ କୁଶୱାହା କେବେ ସିଲଂ ଯାଇ ନଥିଲେ। ସୋନମଙ୍କୁ ଫୋନ୍ ମାଧ୍ୟମରେ ପ୍ରତିଟି ଅପଡେଟ ଦେଉଥିଲୋ ରାଜ। ପ୍ରେମିକ ରାଜ ସୋନମଙ୍କ ସହିତ ଯୋଗାଯୋଗରେ ରହିବା ସହ ଫୋନ୍ କଲ୍ ଓ ଚାଟ୍ ମାଧ୍ୟମରେ ହତ୍ୟାର ପ୍ରତିଟି ଦିଗକୁ ନିୟନ୍ତ୍ରଣ କରୁଥିଲେ। ସୋନମ ରାଜଙ୍କ ନିର୍ଦ୍ଦେଶ ଅନୁସାରେ ସବୁ କିଛି କରିଥିଲେ। କଣ୍ଟ୍ରାକ୍ଟ କିଲର୍ସଙ୍କୁ ଭେଟିଥିଲେ, ସ୍ଥାନ ସ୍ଥିର କରିଥିଲେ, ସମୟ ବାଛିଥିଲେ ଏବଂ ଶେଷରେ ହତ୍ୟାକାଣ୍ଡ ଘଟାଇଥିଲେ।
ପୋଲିସ ତଦନ୍ତରେ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ। ରାଜା ରଘୁବଂଶୀଙ୍କୁ କେବେ ହତ୍ୟା କରାଯିବ, କେଉଁଠି, କିଏ ଏବଂ ତା’ପରେ କ’ଣ କରାଯିବ ତାହା ସ୍ଥିର ହୋଇଥିଲା। ଷଡ଼ଯନ୍ତ୍ର ପ୍ରକୃତରେ କେଉଁଠାରୁ ଆରମ୍ଭ ହୋଇଥିଲା, ଏଥିରେ କିଏ କିଏ ସାମିଲ ଥିଲେ, କିଏ କେଉଁ ଭୂମିକା ତୁଲାଇଥିଲେ ତାର ଟିକିନିଖି ଦିଗକୁ ତଦନ୍ତ କରୁଛି ପୋଲିସ। ଅନ୍ୟପଟେ କୋର୍ଟରେ ହାଜର ପରେ ଆକାଶ, ବିଶାଲ ଓ ରାଜଙ୍କୁ ୭ ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେଇଛି ପୋଲିସ।