ରାୟଗଡ଼ାରେ ମୃତ ଋଷୀୟ ପର୍ଯ୍ୟଟକ ଥିଲେ ଋଷ ରାଷ୍ଟ୍ରପତି ପୁଟିନଙ୍କ ସମାଲୋଚକ, ମାମଲାର ତଦନ୍ତ କରିବ ସିବି-ସିଆଇଡି
1 min readଭୁବନେଶ୍ୱର : ରାୟଗଡାରେ ଶନିବାର ଦିନ ସଂନ୍ଦିଗ୍ଧ ଅବସ୍ଥାରେ ମୃତ୍ଯୁ ବରଣ କରିଥିବା ଋଷ ପର୍ଯ୍ୟଟକ ପାଭେଲ ଏଣ୍ଟଭଙ୍କୁ ନେଇ ଏକ ଚମକପ୍ରଦ ଖବର ଆସିଛି । ମୃଚ ପାଭେଲ ଋଷ ସଂସଦ ସଦସ୍ୟ ଓ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମାଲୋଚକ ଥିଲେ ବୋଲି ବିବିସି ତା’ର ୱେବସାଇଟରେ ଦାବି କରିଛି ।
ବିବିସି ଅନୁସାରେ ଋଷୀୟ ସାଂସଦ ପାଭେଲ ନିଜର କିଛି ବନ୍ଧୁଙ୍କ ସହିତ ଓଡ଼ିଶାର ରାୟଗଡ଼ା ବୁଲିବାକୁ ଆସିଥିଲେ । ନଭେମ୍ବର ୨୧ ତାରିଖରେ ପାଭେଲ ନିଜର ଅନ୍ୟ ୩ ଜଣ ବନ୍ଧୁଙ୍କ ସହିତ ରାୟଗଡା ଆସିଥିଲେ । ୨୨ ତାରିଖ ଦିନ ପାଭେଲଙ୍କ ସାଥୀ ଭ୍ଲାଦିମିର ଭିଦେନୋଭଙ୍କର ହୋଟେଲରେ ମୃତ୍ୟୁ ହୋଇଥିଲା । ଭ୍ଲାଦିମିରଙ୍କୁ ହୋଟେଲର ପ୍ରଥମ ମହଲାରେ ବେହୋସ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତାଙ୍କ ପାଖରେ ଗୋଟିଏ ଖାଲି ୱାଇନ୍ ବୋତଲ ମିଳିଥିଲା । ଭ୍ଲାଦିମିରଙ୍କୁ ହସ୍ପିଟାଲ ନିଆଯାଇଥିଲା କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଏହାର ଦୁଇ ଦିନ ପରେ ଶନିବାର (୨୪ତାରିଖ) ପାଭେଲଙ୍କୁ ହୋଟେଲ ବାହାରେ ମୃତ ଅବସ୍ଥାରେ ଆବିଷ୍କାର କରାଯାଇଥିଲା । ପୋଲିସର ଅନୁମାନ ଯେ, ପାଭେଲ ଆତ୍ମହତ୍ୟା କରିଛନ୍ତି । ପାଭେଲ ଓ ଭ୍ଲାଦିମିର ବାଲ୍ୟବନ୍ଧୁ ଥିଲେ । ଭ୍ଲାଦିମିରଙ୍କ ମୃତ୍ୟୁରେ ଦୁଃଖି ହୋଇ ପାଭେଲ ଆତ୍ମହତ୍ୟା କରିଥିବା ପୋଲିସ ଅନୁମାନ କରୁଛି ।
ମାମଲାର ତଦନ୍ତ କରିବ ସିବି-ସିଆଇଡି :
ପାଭେଲ ଓ ତାଙ୍କ ବନ୍ଧୁଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ ତଦନ୍ତ କରିବ କ୍ରାଇମବ୍ରାଞ୍ଚ(ସିବି-ସିଆଇଡି) । ସିଆଇଡିକୁ ସ୍ଥାନୀୟ ପୁଲିସ ସହଯୋଗ କରିବ। ଆଜି ଏହା କହିଛନ୍ତି ପୁଲିସ ଡିଜି ସୁନୀଲ ବଂଶଲ। ସୂଚନାଯୋଗ୍ୟ ଯେ, ବାକି ଦୁଇ ଋଷୀୟ ପର୍ଯ୍ୟଟକ ଏହା ଭିତରେ ଭୁବନେଶ୍ୱର ଫେରିଛନ୍ତି । ତଦନ୍ତ ସରିବା ପର୍ଯ୍ୟନ୍ତ ସେମାନେ ଓଡ଼ିଶାରେ ରହିବେ ।
ପୁଟିନଙ୍କ ସମାଲୋଚକ ଥିଲେ ପାଭେଲ:
ମୃତ ପାଭେଲ ଆଣ୍ଟାନୋଭ୍ ଋଷ ରାଜନେତା ଥିଲେ । ସେ ଋଷ ସଂସଦ ଡୁମାର ସଦସ୍ୟ ଥିଲେ । ନିକଟରେ ସେ ୟୁକ୍ରେନ୍ ଯୁଦ୍ଧକୁ ନେଇ ରାଷ୍ଟ୍ରପତି ପୁଟିନଙ୍କୁ ସମାଲୋଚନା କରିଥିଲେ । ଯେଉଁଥିପାଇଁ ତାଙ୍କୁ ପୁଟିନ୍ ବିରୋଧୀ ବୋଲି କୁହାଯାଇଥିଲା । ତେବେ ପରେ ପାଭେଲ ନିଜ ବୟାନରୁ ଓହରି ଯାଇଥିଲେ । ଋଷର ଗତ ୨୨ ବର୍ଷ ମଧ୍ୟରେ ପୁଟିନଙ୍କୁ ସମାଲୋଚନା କରିଥିବା ଅନକେ ରାଜନେତା,ଶିଳ୍ପପତି ଓ ପୂର୍ବତନ ସୁରକ୍ଷା ଅଧିକାରୀଙ୍କ ହତ୍ୟା ହୋଇ ସାରିଛି । ସେହି ସବୁ ଘଟଣା ସହିତ ରାୟଗଡାର ଘଟଣାକୁ ଯୋଡି ପାଶ୍ଚାତ୍ୟ ମିଡିଆ ଦେଖୁଛି ।