ଓଡ଼ିଶା ଉପରେ ନାହିଁ ସମ୍ଭାବ୍ୟ ବାତ୍ୟାର ପ୍ରଭାବ, ଓଡ଼ିଶା ଉପକୂଳରୁ ୬୦୦ କିଲୋମିଟର ଦୂରରେ ଯିବ ବାତ୍ୟା

1 min read

ଭୁବନେଶ୍ୱର: ଓଡ଼ିଶା ଉପରେ ପଡ଼ିବନି ସମ୍ଭାବ୍ୟ ବାତ୍ୟାର ପ୍ରଭାବ । ଓଡ଼ିଶା ଉପକୂଳରୁ ୬୦୦ କିଲୋମିଟର ଦୂରରେ ଯିବ ବାତ୍ୟା । ଆଗାମୀ ୪ ଦିନ ତାତିରୁ ନାହିଁ ନିସ୍ତାର । ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ତାପମାତ୍ରା । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ କ୍ରମଶଃ ଘନୀଭୂତ ହୋଇ ଦକ୍ଷିଣପୂର୍ବ ବଙ୍ଗୋପସାଗର ତତ୍-ସଂଲଗ୍ନ ଦକ୍ଷିଣ ଆଣ୍ଡାମାନସାଗର ଅଞ୍ଚଳରେ ଏକ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବା ପରେ ଦକ୍ଷିଣପୂର୍ବ ପାର୍ଶ୍ବବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଆଣ୍ଡାମାନ ସାଗର ଅଞ୍ଚଳରେ ୧୦ତାରିଖ ବେଳକୁ ବାତ୍ୟା ରୂପ ନେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ୧୨ ତାରିଖ ସକାଳ ପର୍ଯ୍ୟନ୍ତ ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ପରବର୍ତ୍ତୀ ସମୟରେ ଗତିପଥ ପରିବର୍ତ୍ତନ କରିବ । ଉତ୍ତର-ଉତ୍ତରପୂର୍ବ ଦିଗରେ ବଙ୍ଗଳାଦେଶ – ମିଆଁମାର ଆଡକୁ ବାତ୍ୟା ମୁହାଁଇବା ସମ୍ଭାବନା ରହିଛି । ଓଡ଼ିଶା ଉପକୂଳର ପ୍ରାୟ ୬ ଶହ କିଲୋମିଟର ଦୂରରେ ଗତି କରୁଥିବାରୁ ଏହାର କୌଣସି ପ୍ରଭାବ ଓଡ଼ିଶା ଉପରେ ନଥିବା ସ୍ପଷ୍ଟ କରିଛନ୍ତି ପାଣିପାଗ ବିଜ୍ଞାନୀ । ଏଣୁ ସମ୍ଭାବ୍ୟ ବାତ୍ୟାକୁ ନେଇ କୌଣସି ପ୍ରକାର ଆଲର୍ଟ ଜାରି କରାଯାଇନାହିଁ ।

ରାଜ୍ୟରେ ଶେଷ ହୋଇଛି କାଳବୈଶାଖୀର ପ୍ରଭାବ । କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟ ବର୍ଷା ହେଉଛି। ତେବେ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ । ତତଲା କଡେଇରେ ସିଝୁଛି ସାରା ଓଡ଼ିଶା । ଅଧାରୁ ଅଧିକ ଜିଲ୍ଲାରେ ଦିନର ତାପମାତ୍ରା ୪୦ ଉପରେ ରହୁଛି । ରାଜ୍ୟକୁ ଶୁଷ୍କ ବାୟୁ ପ୍ରବେଶ କରୁଥିବା ବେଳେ ଆଦ୍ରତା ଅଧିକ ରହୁଛି । ଫଳରେ ତାପମାତ୍ରା ବୃଦ୍ଧି ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଏଭଳି ସ୍ଥିତି ଆଗାମୀ ୪ ଦିନ ପର୍ଯ୍ୟନ୍ତ ଲାଗି ରହିବ । ଦିନର ତାପମାତ୍ରା ୨ରୁ୩ ଡିଗ୍ରୀ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର।