ଫସଲ ଉଜାଡି ଦେଲା ବାତ୍ୟା ‘ଦାନା’, ମୁଣ୍ଡରେ ହାତ ଦେଇ ବସିଛି ଚାଷୀ

ବାଲେଶ୍ବର : ଦାନା ଛଡାଇ ନେଲା ବାତ୍ଯା ‘ଦାନା’ । ସଂସାର ଉଜାଡ଼ିଦେଲା ଗଙ୍ଗାହାର ନଦୀର ବଢିପାଣି । ଧାନ ଗଲା, ପରିବା ଫସଲ ବି ଉଜାଡ଼ି ଦେଲା । ଏବେ ନା ଅଛି ରୋଜଗାର ନା ଅଣ୍ଟିରେ ସମ୍ବଳ । ତା ଉପରେ ମୁଣ୍ଡ ଉପରେ ଋଣର ବୋଝ । ବାଲେଶ୍ବର ରେମୁଣା ଅଞ୍ଚଳର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ବାତ୍ଯା । ଇଏ ହେଉଛନ୍ତି ରେମୁଣା ବ୍ଲକ୍ ଗୁଡୁଦା ଗାଁର ପରିବା ଚାଷୀ ଗିରିଧାରୀ ଜେନା । ସମବାୟ ସମିତିରୁ ଋଣକରି ୧୦ ଡେସିମିଲ ଜମିରେ ପରିବା ଚାଷ କରିଥିଲେ । ହେଲେ ବନ୍ୟା ଯୋଗୁ ପାଳରେ ଶୋଇ ଯାଇଛି ପଞ୍ଚା । ଛନଛନିଆ ପରିବା ସବୁ ପାଣିରେ ପଡ଼ି ନାଲି ପଡ଼ି ଯାଇଛି । ପଡ଼ୋଶୀ ଚାଷୀଙ୍କ ସହଯୋଗରେ ମଞ୍ଚା ଉଠାଇବାକୁ ଉଦ୍ୟମ କରୁଛନ୍ତି । କାର୍ତ୍ତିକ ମାସରେ ପାଳରୁ ପ୍ରତିଦିନ କୁଇଣ୍ଟାଲ କୁଇଣ୍ଟାଲ ପରିବା ବଜାରକୁ ଯାଇଥାଏ । ହେଲେ ଏବେ ପାଳ ସଜାଡୁ ସଜାଡୁ ସମୟ ଯାଉଛି । ଧାନ ଚାଷୀଙ୍କର ମଧ୍ଯ ସମାନ ଅବସ୍ଥା  । ୫ ଦିନ ଧରି ଧାନଗଛ ପାଣିରେ ବୁଡ଼ି ରହିଥିବାରୁ ପଚିବାକୁ ବସିଲାଣି । ଥୋଡ଼ ଧରିବା ଆଗରୁ ଉଜୁଡ଼ି ଯାଇଛି ସୁନାର ଫସଲ।

ରେମୁଣା ଅଞ୍ଚଳରୁ ବାଲେଶ୍ବର ସମେତ ପଡ଼ୋଶୀ ଜିଲ୍ଲା ମାନଙ୍କୁ ଚାଲାଣ ହୋଇଥାଏ ପରିବା । ଏହି ଚାଷ ପାଇଁ ଚାଷୀ ବ୍ୟାଙ୍କ୍, ସମବାୟ ସମିତି, ଘରୋଇ ଫାଇନାନ୍ସ ସଂସ୍ଥାରୁ ଋଣ ନେଇଥାନ୍ତି । ପରିବା, ଧାନ ଅମଳ ପରେ ବିକ୍ରିକରି ଋଣ ସୁଝିଥାନ୍ତି । ହେଲେ ଅମଳବେଳେ ଦାଉ ସାଧିଲା ବନ୍ୟା । ଏବେ କେମିତି ଋଣ ସୁଝିବେ ସେନେଇ ଚିନ୍ତାରେ ଚାଷୀ । ଋଣ ସୁଝିବେ କଣ, ପରିବାର ଚଳାଇବା ବି କଷ୍ଟକର ବୋଲି କହିଛନ୍ତି ଚାଷୀ । କଥାରେ ଅଛି ଚାଷୀ ହୁଡ଼ିଲେ ବରଷେ । ତେଣୁ ଚାଷୀଙ୍କ ଏବେ ଏକମାତ୍ର ଭରସା ସରକାରୀ ସହାୟତା ଉପରେ ।