ଚାଷୀ ଆନ୍ଦୋଳନ ସମର୍ଥନରେ କଟକ ଶିଖ୍‌ ସଂପ୍ରଦାୟର ଶୋଭାଯାତ୍ରା

1 min read

କଟକ: ତେଜୁଛି କୃଷକ ଆନ୍ଦୋଳନ । ସାରା ଦେଶରେ ଏବେ କୃଷକ ଆନ୍ଦୋଳନକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗୋଟିଏ ପଟେ ଦିଲ୍ଲୀ ଦରବାରରେ କୃଷକମାନେ ୧୮ ଦିନ ଧରି ଖରା- ଶୀତ କାକର ଖାଇ ଆନ୍ଦୋଳନ କରୁଥିବା ବେଳେ ଏହା ଏବେ ବିଭିନ୍ନ ରାଜ୍ୟକୁ ବ୍ୟପିବାରେ ଲାଗିଛି ।

ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏହି କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ କଟକରେ ଶୋଭାଯାତ୍ରାର ଆୟୋଜନ କରିଛନ୍ତି ଶିଖ୍‌ ସଂପ୍ରଦାୟ । ଶିଖ ସଂଗତ ପୂଜା କମିଟି ପକ୍ଷରୁ ଏହି ନୂଆ କୃଷି ଆଇନର ପ୍ରତ୍ୟାହାର ଦାବି କରାଯାଇଛି । ଏହି ଶୋଭାଯାତ୍ରାରେ ଶହ ଶହ ପୁରୁଷ ଓ ମହିଳା ସାମିଲ ହୋଇଛନ୍ତି । କୃଷକ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ତୁରନ୍ତ ଏହାକୁ ପ୍ରତ୍ୟାହାର କରିବାକୁ ଆନ୍ଦୋଳନକାରୀ ଦାବି କରିଛନ୍ତି ।

ଅନ୍ୟପଟେ କେନ୍ଦ୍ରର କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ୧୮ ଦିନରେ ପହଞ୍ଚିଛି । ସରକାରଙ୍କ ସହ ଲଗାତାର ଆଲୋଚନା ବିଫଳ ହେବା ପରେ କୃଷକ ୟୁନିୟନଗୁଡ଼ିକ ନିଜ ଆଭିମୁଖ୍ୟ ଆହୁରି କଠୋର କରିଛନ୍ତି । ଆଇନ ପ୍ରତ୍ୟାହାର ନହେଲେ ଆସନ୍ତାକାଲିଠାରୁ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛନ୍ତି କୃଷକ ସଂଗଠନ । କୃଷକ ନେତାମାନେ ଆମରଣ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି । ବିଭିନ୍ନ ସଂଗଠନ ପକ୍ଷରୁ ସମର୍ଥନ ମିଳିବା ପରେ ବଢୁଛି କୃଷକଙ୍କ ବଳ । ତେଣୁ ଆସନ୍ତାକାଲିଠାରୁ ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିରୋଧ ପ୍ରଦର୍ଶନ କରାଯିବ ବୋଲି ଚାଷୀ ସଂଗଠନ ଚେତାବନୀ ଦେଇଛି ।

Leave a Reply