ଘରୋଇ ଇଞ୍ଜିନିୟରିଂ କଲେଜରୁ ୯୭ ଲକ୍ଷ ଟଙ୍କା ହଡ଼ପ ମାମଲା, ପୁଣି ରିମାଣ୍ଡରେ ଗଲେ ପ୍ରେମୀ ଯୁଗଳ

ଭୁବନେଶ୍ୱର: ଭୁବନେଶ୍ବର ଘରୋଇ ଇଞ୍ଜିନିୟରିଂ କଲେଜରୁ ବୟଫ୍ରେଣ୍ଡ ପାଇଁ ୯୭ ଲକ୍ଷ ଟଙ୍କା ହଡପ ମାମଲା । ପୁଣି ରିମାଣ୍ଡରେ ଯିବେ ପ୍ରେମୀ ଯୁଗଳ । ପ୍ରେମୀ ଯୁଗଳଙ୍କୁ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡରେ ନେବ ତମାଣ୍ଡୋ ଥାନା ପୋଲିସ । ଦ୍ବିତୀୟ ପର୍ଯ୍ୟାୟରେ ୫ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ଏସଡିଜେଏମ୍ କୋର୍ଟ । ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡରେ କଲେଜ କର୍ମଚାରୀଙ୍କ ଭୂମିକା ନେଇ ତଦନ୍ତ କରିବ ପୋଲିସ । ୭ଟି ଅନଲାଇନ ଗାମ୍ବଲିଙ୍ଗ ବିଷୟରେ ପୋଲିସକୁ ଖବର ମିଳିଛି । ସାଇବର ଏକ୍ସପର୍ଟଙ୍କ ଜରିଆରେ ଅନେକ ତଥ୍ୟ ମିଳିଥିବା ବେଳେ ଅଧିକ ତଥ୍ୟ ଦେବାକୁ ହ୍ବାଟ୍ସଆପକୁ ଚିଠି ଲେଖିଛି କମିଶନରେଟ ପୋଲିସ । ପ୍ରଥମ ପର୍ଯ୍ୟାୟର ଏହି ଠକ ପ୍ରେମୀ ଯୁଗଳଙ୍କୁ ୩ ଦିନିଆ ରିମାଣ୍ଡରେ ନେଇ ଜେରା କରିବା ସହ ଅନେକ ତଥ୍ୟ ପାଇଥିଲା ପୋଲିସ ।

ସୂଚନା ଅନୁସାରେ ୯୭ ଲକ୍ଷ ଟଙ୍କା ହଡ଼ପ କରି ରାଜ୍ୟ ବାହାରେ ଅଏସୀ କରୁଥିଲେ ପ୍ରେମୀ ଯୁଗଳ । ସିମଲା, ଜାମ୍ମୁ କଶ୍ମୀର, ଦିଲ୍ଲୀ ଭଳି ଟୁରିଷ୍ଟ ଲୋକେସନରେ ବୁଲୁଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏପରିକି ପ୍ରେମିକା ଦେଇଥିବା ୯୭ ଲକ୍ଷ ଟଙ୍କାରୁ ୬୫ ଲକ୍ଷ ଟଙ୍କାର ଅନଲାଇନରେ ଜୁଆ ଖେଳିଥିବା ପୋଲିସ ଆଗରେ ମାନିଥିଲା ପ୍ରେମିକ ବିକାଶ ।