୫ ପିଲାଙ୍କ ସହ କେନାଲକୁ ଡେଇଁ ପଡ଼ିଲେ ସ୍ୱାମୀ-ସ୍ତ୍ରୀ; ସମସ୍ତଙ୍କ ଶବ ଉଦ୍ଧାର

1 min read

ଜୟପୁର: ରାଜସ୍ଥାନର ଜାଲୋର ଜିଲ୍ଲାର ସାଞ୍ଚୌରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ବୁଧବାର ଅପରାହ୍ନରେ ସ୍ୱାମୀ-ସ୍ତ୍ରୀ ନିଜ ୫ ପିଲାଙ୍କ ସହ ନର୍ମଦା କେନାଲକୁ ଡେଇଁ ପଡ଼ିଥିଲେ । ସମସ୍ତଙ୍କ ଶବ ଉଦ୍ଧାର କରାଯାଇଛି । ଛଅ ଜଣଙ୍କ ହାତ ଜଣେ ଅନ୍ୟଜଣଙ୍କ ସହ ରଶିରେ ବନ୍ଧା ହୋଇଥିଲା । ପ୍ରଥମେ ୯ ବର୍ଷର ଜଣେ ଶିଶୁର ଶବ ଅପରାହ୍ନ ୪ଟାରେ ଉଦ୍ଧାର କରାଯାଇଥିଲା । ଏହାପରେ ସାଢ଼େ ଛଅଟା ସମୟରେ ଅନ୍ୟ ଛଅଜଣଙ୍କ ଶବ ମିଳିଥିଲା । ମୃତକମାନେ ହେଲେ ଶଙ୍କରାରାମ, ତାଙ୍କ ପତ୍ନୀ ବାଦଲୀ, ଝିଅ ରମିଲା, ପୁଅ ପ୍ରକାଶ, ଝିଅ କେଗି, ଝିଅ ଜାନକୀ ଏବଂ ପୁଅ ହିତେଶଙ୍କ ଶବ କେନାଲରୁ ଉଦ୍ଧାର କରାଯାଇଛି ।

ଗଲିପାର ଭମ୍ବର ସିଂ ରାଜପୁତ ନାମକ ଜଣେ ବ୍ୟକ୍ତି ହେଲ୍ପଲାଇନ ୧୦୧ ଅଭୟ କମାଣ୍ଡ ଜାଲୋରକୁ ସୂଚନା ଦେଇଥିଲେ ଯେ ଶଙ୍କାରାର ତା ସ୍ତ୍ରୀ ସହ ଝଗଡ଼ା ହୋଇଥିଲା । ସେ ରାଗରେ ପତ୍ନୀ ଏବଂ ପିଲାଙ୍କ ସହ ଘରୁ ବାହାରି ସିଦ୍ଧେଶ୍ୱରରେ ପହଞ୍ଚିଥିଲା । ପିଲାଙ୍କ ମଧ୍ୟରେ ୩ ଝିଅ ଓ ୨ ପୁଅ ସାମିଲ ଥିଲେ । ଏମାନଙ୍କ କପଡ଼ା ନର୍ମଦା ନଦୀର ମୁଖ୍ୟ କେନାଲ ପାଖରେ ପଡ଼ିଥିବାର ମିଳିଥିଲା । ସାଞ୍ଚୌର ସିଓ ରୁପାସିଂହ ଇନ୍ଦା କହିଛନ୍ତି ଯେ, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହାପରେ ଉଭୟ ନିଜ ପାଞ୍ଚ ପିଲାଙ୍କ ସହ ଘରୁ ବାହାରି ଯାଇଥିଲେ । ଯେଉଁଠାରେ ସେମାନେ କେନାଲକୁ ଡେଇଁ ପଡ଼ିଥିଲେ, ସେଠାରୁ ୨୦୦ ମିଟର ଆଗକୁ ସେମାନଙ୍କ ଶବ ମିଳିଛି । ପୋଲିସକୁ ନଦୀ ବାହାରୁ ମିଳିଥିବା କପଡ଼ା ସହ ଏକ ମୋବାଇଲ୍ ମଧ୍ୟ ମିଳିଛି ।