ଦେଶର ପ୍ରଥମ ଜଳାଶୟ ଗଣନା, ଟପ୍ ଫାଇଭରେ ଓଡ଼ିଶା

ଭୁବନେଶ୍ୱର: ଦେଶର ପ୍ରଥମ ଜଳାଶୟ ଗଣନା ରିପୋର୍ଟରେ ଓଡ଼ିଶା ଆଗରେ। ଦେଶର ପ୍ରଥମ ୫ ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି ଓଡ଼ିଶା । ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ ପଛକୁ ଓଡ଼ିଶା ଥିବା ବେଳେ ୫ ନମ୍ବରରେ ରହିଛି ଆସାମ । ଏହି ୫ଟି ରାଜ୍ୟରେ ଦେଶର ୬୩ ପ୍ରତିଶତ ଜଳାଶୟ ରହିଛି ବୋଲି ଜଳଶକ୍ତି ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ପ୍ରଥମ ରିପୋର୍ଟରେ ଜଣାପଡ଼ିଛି । ରାଜ୍ୟରେ ଥିବା ମୋଟ ଓ୍ବାଟର ବଡିଜ୍ ମଧ୍ୟରୁ ୯୮ ପ୍ରତିଶତ ଗ୍ରାମାଞ୍ଚଳରେ ଥିବା ବେଳେ ୨ ପ୍ରତିଶତ ସହରାଞ୍ଚଳରେ ରହିଛି । ୫୧ ପ୍ରତିଶତ ଜଳାଶୟ ଘରୋଇ ଥିବା ବେଳେ ବାକି ୪୯ ପ୍ରତିଶତ ସରକାରଙ୍କ ଦ୍ବାରା ପରିଚାଳିତ ହେଉଛି । ଲୁହାପଥର, ମାଙ୍ଗାନିଜ, ବକ୍ସାଇଟ ଭଳି ଜଳ ପରିମାଣରେ ବି ଓଡ଼ିଶା ଆଗରେ ରହିଛି । ଜଳବାୟୁ ପରିବର୍ତ୍ତନ ଏବଂ ଜଳ ସଙ୍କଟ ନେଇ ସାରା ବିଶ୍ବ ସଂଘର୍ଷ କରୁଥିବା ବେଳେ ଓଡ଼ିଶାରେ ନିକଟ ଭବିଷ୍ୟତରେ ଜଳ ସଙ୍କଟ ହେବ ନାହିଁ ବୋଲି ଗଣନାରୁ ସ୍ପଷ୍ଟ ହୋଇଛି ।

ଓଡ଼ିଶାରେ ୪୮୦ କିଲୋମିଟର ସମୁଦ୍ର ବେଳାଭୂମି ସାଙ୍ଗକୁ ମଧୁର ଜଳରେ ଦେଶର ୪ ନମ୍ବର ରାଜ୍ୟ ଭାବେ ଉଭା ହେବା ରାଜ୍ୟର ଶିଳ୍ପାୟନ ପାଇଁ ମଧ୍ୟ ଶୁଭ ସଙ୍କେତ । ରାଜ୍ୟରେ ଥିବା ମୋଟ ଜଳାଶୟ ମଧ୍ୟରୁ ୮୯ ପ୍ରତିଶତ ବ୍ୟବହାର ଯୋଗ୍ୟ ରହିଛି ।  ଏଥିରୁ ୭ ହଜାର ୧୦୯ ଜଳାଶୟ ପ୍ରାକୃତିକ ଉତ୍ସ ହୋଇଥିବା ବେଳେ ୧ ଲକ୍ଷ ୭୪ ହଜାର ୭୨୮ ମନୁଷ୍ୟକୃତ। ୫୧ ପ୍ରତିଶତ ଜଳାଶୟରେ ହଜାରେରୁ ୧୦ ହଜାର କ୍ୟୁବିକ ମିଟର ଯାଏଁ ଜଳଧାରଣ କ୍ଷମତା ରହିଛି । ୨୪ ପ୍ରତିଶତରେ ଏହାଠାରୁ ଅଧିକ ଜଳ ରଖିବାର କ୍ଷମତା ରହିଛି । ପ୍ରତିବର୍ଷ ପୂର୍ଣ୍ଣ ବା ଆଂଶିକ ଭାବେ ୯୨ ପ୍ରତିଶତ ଜଳାଶୟରେ ପାଣି ଉପଲବ୍ଧ ରହୁଥିବା ବେଳେ ମାତ୍ର ୧.୬ ପ୍ରତିଶତ ଜଳାଶୟ କେବେ ପୂରଣ ହୁଏନାହିଁ । ବିଶ୍ବସ୍ତରର କ୍ଲାଇମେଟ ଇଣ୍ଡେକ୍ସରେ ଓଡ଼ିଶାର ସ୍ଥାନ ଉପରେ ରହିଛି ।