ଆନ୍ଦୋଳନକୁ ଓହ୍ଲାଇଲେ ଟାଟା ପାୱାର ଅଧୀନରେ କାମ କରୁଥିବା ଠିକା ଶ୍ରମିକ

ଭୁବନେଶ୍ୱର: ଆନ୍ଦୋଳନକୁ ଓହ୍ଲାଇଲେ ବିଦ୍ୟୁତ ବିଭାଗରେ ଟାଟା ପାୱାର ଅଧୀନରେ କାମ କରୁଥିବା ଠିକା ଶ୍ରମିକ । ଭୁବନେଶ୍ୱର ପାଓ୍ବାର ହାଉସ ଛକରେ ଥିବା ଟାଟା ପାଓ୍ବାରର କର୍ପୋରେଟ କାର୍ଯ୍ୟାଳୟ ସମ୍ମୁଖରେ ନିଖିଳ ଓଡ଼ିଶା ବିଦ୍ୟୁତ ମଜଦୂର ମହାସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଛି । ବିଭିନ୍ନ ଜିଲ୍ଲାର କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ସମାନ କାମକୁ ସମାନ ଦରମା ଏବଂ ସ୍ଥାୟୀ ନିଯୁକ୍ତି ଦାବିରେ ବିକ୍ଷୋଭକୁ ଓହ୍ଲାଇଛନ୍ତି ୯ଟି ଜିଲ୍ଲାର ପ୍ରାୟ ୩ ହଜାର କମର୍ଚାରୀ ।

ସେସୁ ହାତରୁ ପରିଚାଳନା ଦାୟିତ୍ୱ ଟାଟା ପାଓ୍ବାର ନେବା ବେଳେ ଠିକା ଶ୍ରମିକଙ୍କ କଥା ବୁଝି ବୋଲି ପ୍ରତିଶ୍ରୁତି ଦେଇଥିଲା । ହେଲେ ଏବେ ଟାଟା ପାଓ୍ବାର ଠିକା ଶ୍ରମିକଙ୍କୁ ଶୋଷଣ କରୁଛି ବୋଲି ଅଭିଯୋଗ କରିଛି ଶ୍ରମିକ ସଂଘ । ତୃତୀୟ ପକ୍ଷ ମାଧ୍ୟମରେ ଠିକା ଭାବେ କାମ କରି ବିଭାଗର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିଭାଉଥିବା ଯୁକ୍ତି ବାଢିଛନ୍ତି ଠିକା ଶ୍ରମିକ । ସଂଘ ପକ୍ଷରୁ ସ୍ମାରକ ପତ୍ର ଦେବା ପରେ ଟାଟା ପାୱାରର ଅତିରିକ୍ତ ସିଇଓଙ୍କ ସହ କର୍ମଚାରୀ ପ୍ରତିନିଧିଙ୍କ ଆଲୋଚନା ହୋଇଥିଲେ ମଧ୍ୟ କିଛି ନିଷ୍କର୍ସ ବାହାରିନାହିଁ । ଆସନ୍ତାକାଲିଠାରୁ ରାଜ୍ୟର ସମସ୍ତ ଡିଭିଜନ କାର୍ଯ୍ୟାଳୟ ଆଗରେ ସ୍ଥାୟୀ ନିଯୁକ୍ତି, ଦରମା ବୃଦ୍ଧି, ଆନୁଷଙ୍ଗିକ ଭତ୍ତା ଦାବିରେ ଆନ୍ଦୋଳନ କରିବ ମହାସଂଘ ।