ଟିକେଟ ବଣ୍ଟନକୁ ନେଇ କଂଗ୍ରେସରେ ଲାଗିଛି ନିଆଁ

ରାୟଗଡ଼ା : ଟିକେଟ ବଣ୍ଟନ ପରେ କଂଗ୍ରେସରେ ବଢିବାରେ ଲାଗିଛି ଅସନ୍ତୋଷର ନିଆଁ  । କେଉଁଠି ସିଧାସଳଖ ବିରୋଧ ତ’ ଆଉ କେଉଁଠି ଅନ୍ୟ ଦଳରେ ମିଶିଲେଣି ନେତା । ଏଭଳି ସ୍ଥଳରେ ରାୟଗଡ଼ାରେ କଂଗ୍ରେସରେ ଫାଟ ଜଳ ଜଳ ଦେଖାଯାଉଛି । ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳି ପାଇଁ  ଆପଲାସ୍ବାମୀ କାଡ୍ରାକା, ଗୁଣୁପୁର ପାଇଁ  ସତ୍ୟଜିତ ଗମାଙ୍ଗ ଏବଂ ବିଷମକଟକ ପାଇଁ  ନୀଳମାଧବ ହିକକାଙ୍କ ନାମ ଘୋଷଣା କରିଛି ଦଳ । ହେଲେ କଂଗ୍ରେସର ଏହି ପ୍ରାର୍ଥୀମାନଙ୍କୁ ସହଜରେ ଗ୍ରହଣ କରିପାରୁନାହନ୍ତି କର୍ମୀ । ଗୁଣୁପରରେ ସତ୍ୟଜିତଙ୍କ ନାମ ଘୋଷଣା ପରେ ତାତି ଉଠିଛନ୍ତି କଂଗ୍ରେସ କର୍ମୀ । ଅଣକଂଗ୍ରେସ ନେତାଙ୍କୁ କିଭଳି ପ୍ରାର୍ଥୀ କରାଗଲା ବୋଲି ପ୍ରଶ୍ନ କରିବା ସହ ସମସ୍ତେ ଦଳରୁ ଇସ୍ତଫା ଦେବେ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ବିଷମକଟକରେ ମଧ୍ୟ ସମାନ ଅବସ୍ଥା । ଦଳ ନୀଳମାଧବ ହିକକାଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଅସନ୍ତୋଷ ତେଜିଛି । ଅଶାୟୀ ପ୍ରାର୍ଥୀ ଥିବା ନୀଳମାଧବ ଉଲ୍ଲକାଙ୍କୁ ପ୍ରାର୍ଥୀ କରିବାକୁ ଅଡିବସିଛନ୍ତି କର୍ମୀ।