ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ରକୁ କଂଗ୍ରେସର ଟାର୍ଗେଟ୍

1 min read

ଭୁବନେଶ୍ୱର: ବିଧାନସଭାରେ MSP ତାତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗକୁ ନେଇ ହୁଲୁସ୍ତୁଲ ହୋଇଛି ବିଧାନସଭା । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ସିଧାସଳଖ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି । MSP ବୃଦ୍ଧି ହୋଇନଥିବାରୁ ସମସ୍ତ ବିଧାୟକ ଓ ମନ୍ତ୍ରୀମାନେ ଦିଲ୍ଲୀ ଦରବାରରେ ଧାରଣା ଦେବା ପାଇଁ ସେ ଆହ୍ୱାନ କରିଛନ୍ତି । ସେପଟେ କୃଷିମନ୍ତ୍ରୀ ମଧ୍ୟ ଏ ପ୍ରସଙ୍ଗରେ ତେରଛା ବାଣ ମାରିଛନ୍ତି ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀଙ୍କୁ । କେନ୍ଦ୍ର ସରକାର କହୁଛନ୍ତି ଗୋଟେ କଥା କରୁଛନ୍ତି ଗୋଟେ କଥା ବୋଲି କୃଷିମନ୍ତ୍ରୀ କହିଛନ୍ତି ।

୨୦୧୪ରେ କେନ୍ଦ୍ର ସରକାର ଯେଉଁ ପ୍ରତିଶୃତି ଦେଇଥିଲେ ତାହା କୁଆଡେ ଗଲା ବୋଲି ବିଷ୍ଣୁଙ୍କୁ ପ୍ରଶ୍ନ କରିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ନିଜ ବାକ୍ୟ ନିଜେ ରକ୍ଷାକର, ୨୦୧୭ ପରଠୁ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ର ନିକଟରେ ଦାବି କରିଆସୁଥିଲେ ବି, କାହିଁକି କେନ୍ଦ୍ର ଶୁଣୁନାହିଁ ବୋଲି ପ୍ରଶ୍ନ କରିଛନ୍ତି କୃଷିମନ୍ତ୍ରୀ । ଗୃହରେ ସବସିଡି ପ୍ରସଙ୍ଗ ପ୍ରଥମେ ଉଠାଇଥିଲେ ବିଷ୍ଣୁ ତା’ର ଜବାବରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହା କହିଛନ୍ତି । ସେପଟେ ପ୍ରଶ୍ନ କାଳରେ ଭାଗଚାଷୀ ପ୍ରସଙ୍ଗକୁ ନେଇ କୃଷିମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ।