ଦିନକୁ ଦିନ ଦୟନୀୟ ହେଉଛି ରାଜ୍ୟ କଂଗ୍ରେସର ସ୍ଥିତି, ହାତ ଭୋଟ୍ ପଦ୍ମ ଖାତାକୁ ଯାଉଥିବା ସମୀକ୍ଷକଙ୍କ ଆକଳନ

ଭୁବନେଶ୍ୱର: କର୍ଣ୍ଣାଟକରେ କ୍ଲିନ୍‌ ସ୍ୱିପ୍‌ । ଓଡ଼ିଶାରେ କ୍ଲିନ୍‌ ବୋଲ୍ଡ । ଦିନକୁ ଦିନ ଦୟନୀୟ ହେବାରେ ଲାଗିଛି ରାଜ୍ୟ କଂଗ୍ରେସର ସ୍ଥିତି । ପଦମପୁର ପରି ଝାରସୁଗୁଡ଼ା ଉପନିର୍ବାଚନରେ କଂଗ୍ରେସ ଭୋଟ୍‌ ହାର ଅତି ତଳକୁ ଖସିଯାଇଛି । ଭୋଟ୍‌ କାଏମ ରହୁଛି ବିଜେଡିର । ତେଣୁ କଂଗ୍ରେସର ଭୋଟ୍‌ ବିଜେପି ଖାତାକୁ ଯାଉଥିବା ରାଜନୈତିକ ସମୀକ୍ଷକ ଆକଳନ କରୁଛନ୍ତି । ରାଜ୍ୟରେ କଂଗ୍ରେସ ସହ ବିଜେପି ଅଘୋଷିତ ମେଣ୍ଟ କରିଥିବା ଚର୍ଚ୍ଚା ହେଲାଣି । ସେପଟେ ପରାଜୟ ପରେ କଂଗ୍ରେସରେ ପୁଣି କନ୍ଦଳ ଓ ଆରୋପ ପ୍ରତ୍ୟାରୋପ ରାଜନୀତି ଫେରିଛି ।

୨୦୧୯ ନିର୍ବାଚନରେ ଝାରସୁଗୁଡ଼ାରେ କଂଗ୍ରେସ ପାଇଥିଲା ୧୮ ହଜାର ୮୨୩ ଭୋଟ୍‌ । ଉପନିର୍ବାଚନରେ ଏହା ୪ ହଜାର ୪୯୬କୁ ଖସିଛି । ତେବେ କଂଗ୍ରେସର ୧୪ ହଜାର ୩୨୭ ଭୋଟ୍‌ ଗଲା କୁଆଡ଼େ ? ବିଜେପିର ଯେଉଁ ଭୋଟ୍‌ ବଢ଼ିଛି, ତାହା କଂଗ୍ରେସ ଖାତାରୁ ଆସିଥିବା ଚର୍ଚ୍ଚା ହେଉଛି । ଦେଶରେ କଂଗ୍ରେସ ଓ ବିଜେପି ପରସ୍ପର ରାଜନୈତିକ ଶତ୍ରୁ । କିନ୍ତୁ ଓଡ଼ିଶାରେ ବିଜେଡି ବିରୋଧରେ ଦୁଇଦଳ ହାତ ମିଶାଇଥିବା ଅଭିଯୋଗ ହେଉଛି । ବିଜେପିର ଗୋଡ଼ାଣିଆ ହେବା ଓ ବିଜେପି ଏଜେଣ୍ଡାରେ କଂଗ୍ରେସ କାମ କରୁଥିବା ସମୀକ୍ଷଙ୍କ ମତ । ଏହି କାରଣରୁ କଂଗ୍ରେସ ପାଇଁ ଆସ୍ଥା ସଂକଟ ସାଙ୍ଗକୁ ପରିଚୟ ସଂକଟ ସୃଷ୍ଟି ହେଲାଣି । ଭୁଲ ରାଜନୀତି ଯୋଗୁ ଦିନକୁ ଦିନ ସତ୍ତା ହରାଉଛି କଂଗ୍ରେସ । ଆଭିମୁଖ୍ୟ ନ ବଦଳାଇଲେ କଂଗ୍ରେସ ହରାଇଥିବା ଭୋଟ୍‌ ୨୦୨୪ ନିର୍ବାଚନରେ ଫେରିପାଇବ ନାହିଁ ବୋଲି ବିଜେଡି କହିଛି ।

ପଦମପୁର ଉପନିର୍ବାଚନରେ ମଧ୍ୟ ବିଜେପି ଓ କଂଗ୍ରେସ କୋଳାକୋଳି ହୋଇଥିଲେ । ଟାଣୁଆ କଂଗ୍ରେସ ନେତା ସତ୍ୟ ଭୂଷଣ ସାହୁ ୨୦୧୯ ନିର୍ବାଚନରେ ୩୨ ହଜାର ୭୮୭ ଭୋଟ୍‌ ପାଇଥିଲା ବେଳେ ୨୦୨୨ ଉପନିର୍ବାଚନରେ ଏହା ୩ ହଜାର ୫୯୪କୁ ଖସିଥିଲା । ବିଜେଡି ଜିତିଥିଲା । ବିଜେପିର ଯେଉଁ ଭୋଟ୍‌ ବଢ଼ିଥିଲା, ତାହା କଂଗ୍ରେସ ଖାତାରୁ ଯାଇଥିଲା ବୋଲି ସେ ସମୟରେ କଂଗ୍ରେସ ନେତାମାନେ ଟୁପୁରୁ ଟାପୁରୁ ହେଉଥିଲେ । ବିଜେଡି ପରି କଂଗ୍ରେସ ନେତା ଏକାଠି‌ ହୋଇ କାମ କରି ନଥିବା ବିଧାୟକ ସୁରେଶ ରାଉତରାୟ ସ୍ୱୀକାର କରିଛନ୍ତି । ଏକଜୁଟ ଲଢ଼ିବା ନେଇ କର୍ଣ୍ଣାଟକ କଂଗ୍ରେସଠାରୁ ଓଡ଼ିଶା କଂଗ୍ରେସ ଶିଖିବା କଥା ବୋଲି ମତ ଦେଇଛନ୍ତି ବିଧାୟକ ତାରାପ୍ରସାଦ ବାହିନୀପତି । ରାଜନୈତିକ ସମୀକ୍ଷକ କହିଛନ୍ତି, କର୍ଣ୍ଣାଟକରେ ରାଜ୍ୟ ଓ କେନ୍ଦ୍ରୀୟ ନେତୃତ୍ୱଙ୍କ ମଧ୍ୟରେ ସମନ୍ବୟ ଭଳି ଓଡ଼ିଶା କଂଗ୍ରେସରେ ସ୍ଥିତି ନଥିବାରୁ ଦଳର ଭୋଟ୍‌ ବ୍ୟାଙ୍କ ହ୍ରାସ ପାଉଛି ।