୨୦୧୪ରୁ କୋଇଲା ରୟାଲଟିରେ ହେଉନି ସଂଶୋଧନ,୧୩ ହଜାର କୋଟିର ରାଜସ୍ୱ ହରାଇଲାଣି ରାଜ୍ୟ

ଭୁବନେଶ୍ୱର: ଦାବି କରୁଛି ଓଡ଼ିଶା, ଶୁଣୁନି କେନ୍ଦ୍ର। ୭ବର୍ଷ ହେଲା କୋଇଲା ରୟାଲିଟି ସଂଶୋଧନ କରୁନାହିଁ କେନ୍ଦ୍ର। ନିୟମ ଅନୁସାରେ ପ୍ରତି ୩ବର୍ଷରେ ଥରେ କୋଇଲା ରୟାଲଟି ସଂଶୋଧନ ହେବା କଥା। ହେଲେ ହେଉନଥିବାରୁ ଓଡ଼ିଶା ହଜାର ହଜାର କୋଟି ଟଙ୍କାର ରାଜସ୍ୱ ହରାଉଛି। ରାଜ୍ୟରେ ବିକାଶରେ ବାଧା ସୃଷ୍ଟି ହେଉଛି। ଏ ନେଇ ବାରମ୍ବାର ସଂସଦ ଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ଏହାକୁ ଅଣଦେଖା କରିଚାଲିଛନ୍ତି କେନ୍ଦ୍ର ସରକାର।

ଦେଶରେ ଉତ୍ତୋଳିତ ହେଉଥିବା ମୋଟ କୋଇଲାରେ ଓଡ଼ିଶାର ରହିଛି ସିଂହ ଭାଗ। ଖଣି ଉତ୍ତୋଳନ ପାଇଁ ପରିବେଶ ପ୍ରଦୂଷଣ, ଲୋକମାନେ ବିସ୍ଥାପିତ ହେଉଛନ୍ତି। ହେଲେ ରୟାଲିଟି ସଂଶୋଧନ କିନ୍ତୁ ହୋଇପାରୁନାହିଁ। ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ। ତୁରନ୍ତ କେନ୍ଦ୍ର ସରକାର କୋଇଲା ରୟାଲିଟି ସଂଶୋଧନ କରିବା ସହ ସ୍ୱଚ୍ଛ ଇନ୍ଧନ ସେସ୍ ଖର୍ଚ୍ଚ କରିବା ପାଇଁ ଅନୁମତି ଦେବାକୁ ଦାବି କରିଛି ବିଜେଡି।

ଏପଟେ କଂଗ୍ରେସ କହିଛି ତୁରନ୍ତ କୋଇଲା ରୟାଲିଟି ସଂଶୋଧନ କରି ୧୪ରୁ ୧୮ପ୍ରତିଶତ ରୟାଲିଟି ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର ସରକାର ତୁରନ୍ତ ମାନିନେବା ଉଚିତ । କୋଇଲା ରୟାଲିଟି ସଂଶୋଧନ ନହେବା ଫଳରେ ଏ ବାବଦରେ ରାଜ୍ୟ ୧୩ହଜାର କୋଟିରୁ ଅଧିକ ଟଙ୍କା ରାଜସ୍ବ ହରାଇଲାଣି  । ସେହିପରି ଡିଷ୍ଟ୍ରିକ୍ରିଟ ମିନେରାଲ ଫଣ୍ଡକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି । ସେପଟେ କୋଇଲା ରୟାଲିଟି ସଂଶୋଧନ ସପକ୍ଷରେ ନାହିଁ ରାଜ୍ୟ ବିଜେପି । ବିଜେପିର ଯୁକ୍ତି ହେଉଛି କୋଇଲା ନିଲାମ ଦ୍ବାରା ଅଧିକ ରାଜସ୍ବ ପାଉଛି ରାଜ୍ୟ । ତେଣୁ ରୟାଲିଟି ବୃଦ୍ଧି କାହିଁକି ଉଠୁଛି ବୋଲି ବିଜେପି ପାଲଟା ପ୍ରଶ୍ନ କରିଛି …..

ସ୍ବଚ୍ଛ ଇନ୍ଧନ ସେସ୍‌ ଲାଗୁ ହେବା ଦିନଠାରୁ କେନ୍ଦ୍ର ସରକାର ହଜାର ହଜାର କୋଟି ଟଙ୍କା ଆଦାୟ କଲେଣି । ହେଲେ ଏଥିରୁ ଓଡିଶାକୁ କିଛି ବି ଫାଇଦା ମିଳିପାରୁନାହିଁ  ।

Leave a Reply