ବାହାର ରାଜ୍ୟରେ ଅଟକି ରହିଥିବା ଓଡ଼ିଆଙ୍କୁ ଫେରାଇ ଆଣିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

1 min read

ଭୁବନେଶ୍ୱର: ଓଡିଶା ବାହାରେ ଫସିଛନ୍ତି ଓଡିଆ । ଚିନ୍ତାରେ ସେମାନଙ୍କ ପରିବାର, ଚିନ୍ତାରେ ସରକାର । ସରକାର କେବଳ ସେମାନଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ଚାହୁଁନାହାଁନ୍ତି, ସେମାନଙ୍କ ଜରିଆରେ ସଂକ୍ରମଣ ନହେବା ବି ଲକ୍ଷ୍ୟ । ଲକଡାଉନ ଉଠିବା ପୂର୍ବରୁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଥିବା ବେଳେ ଆଜି ଏଦିଗରେ ପ୍ରଧାନମନ୍ତ୍ରୀଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦାବି କରିଛନ୍ତି ଏନେଇ ଜାତୀୟ ସ୍ତରରେ ଗଠନ ହେଉ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡୁୟର ।

ଓଡିଶା ଛାଡି ବାହାର ରାଜ୍ୟରେ କାମ କରୁଛନ୍ତି ପ୍ରାୟ ସାଢେ ସାତ ଲକ୍ଷ ଓଡିଆ । କିଏ ରୋଜଗାର ସନ୍ଧାନରେ ତ କିଏ ପରିବାରର ଭରଣପୋଷଣ ତ ଆଉ କିଏ ବୃଦ୍ଧ ବାପା ମାଙ୍କ ଚିକିତ୍ସା ପାଇଁ ପରିବାର ଓ ଗାଁ ମାଟି ଛାଡିଛନ୍ତି । କରୋନା ସଂକ୍ରମଣ ପରେ ଏବେ ସେମାନେ ଘରକୁ ଫେରିଆସିବାକୁ ଚାହୁଁଛନ୍ତି । ନିଜ ପରିବାର ପାଖକୁ, ନିଜ ବନ୍ଧୁ ପରିଜନଙ୍କ ପାଖକୁ । ହେଲେ ବାଧକ ସାଜିଛି ଲକଡାଉନ । ସେହି ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବାକୁ ଉଦ୍ୟମ ଚଲାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନେ କେବଳ ଫେରିବେନି, ସୁରକ୍ଷିତ ଭାବେ ଫେରିବେ । କେବଳ ଓଡିଶା ନୁହେଁ, ଅନ୍ୟ ରାଜ୍ୟଗୁଡିକ ବି ସେନେଇ ଚିନ୍ତାରେ । ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାମନ୍ତ୍ରୀଙ୍କୁ ଜାତୀୟ ସ୍ତରରେ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡୁୟର ବା ଏସଓପି ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଯାହାଦ୍ଵାରା ପ୍ରବାସୀ ଲୋକଙ୍କ ଘରବାହୁଡା ପାଇଁ ସବୁ ରାଜ୍ୟ ଏକ ପ୍ରକାର ନିୟମକୁ ପାଳନ କରିବେ । ଏହାଦ୍ଵାରା ସଂକ୍ରମଣର ଆଶଙ୍କା କମିବ ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ଗୁଜୁରୁ।ଟ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଏନେଇ ଆଲୋଚନା କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନସିଂରେ କରୋନା ମୁକାବିଲା ନେଇ ଆଲୋଚନା କରୁଥିବା ବେଳେ ନବୀନ ପଟ୍ଟନାୟକ ଏସଓପି ଗଠନର ପ୍ରସ୍ତାବ ଦେଇଛନ୍ତି । ଏହାଦ୍ଵାରା ନିଜ ନିଜ ରାଜ୍ୟକୁ ଫେରିବା ପୂର୍ବରୁ ପ୍ରବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ସେମାନଙ୍କୁ କୋଭିଡ-୧୯ ପ୍ରମାଣପତ୍ର ବି ଦିଆଯିବ । ଏଥିସହିତ ସାମାଜିକ ଦୂରତା ମଧ୍ୟରେ ସେମାନଙ୍କୁ ସେମାନଙ୍କ ରାଜ୍ୟକୁ ଫେରାଇ ଦିଆଯିବ । ନିଜ ନିଜ ରାଜ୍ୟକୁ ଫେରିବା ପରେ ସେମାନଙ୍କୁ ୧୪ ଦିନ କ୍ୱାରେଣ୍ଟାଇନରେ ରଖାଯିବ । ଏଥିପାଇଁ ରାଜ୍ୟରେ ୭୧୦୨ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଏହିସବୁ ସ୍ୱାସ୍ଥ୍ୟକେନ୍ଦ୍ରରେ ୨ଲକ୍ଷ ୨୭ ହଜାର ଶଯ୍ୟା ପ୍ରସ୍ତୁତ ହୋଇ ରହିଛି । ଗତ ୪୮ ଘଣ୍ଟା ମଧ୍ୟରେ ଓଡିଶା ଫେରିବାକୁ ୪ଲକ୍ଷ ୮୬ ହଜାର ପ୍ରବାସୀ ଓଡିଆ ରାଜ୍ୟ ସରକାରଙ୍କ କୋଭିଡ ପୋର୍ଟାଲରେ ପଂଜିକରଣ କରିଛନ୍ତି ।

Leave a Reply