ଆଜି ଜୟପୁରର ବିକ୍ରମଦେବ ବିଶ୍ବବିଦ୍ୟାଳୟର ପ୍ଲାଟିନମ ଜୁବୁଲି, ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି କୋରାପୁଟ ଜିଲ୍ଲା ଜୟପୁରର ବିକ୍ରମଦେବ ମହାବିଦ୍ୟାଳୟର ପ୍ଲାଟିନମ ଜୁବିଲି । ଉତ୍ସବ ପାଳନରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିକ୍ରମ ଦେବ କଲେଜକୁ ମିଳିସାରିଛି ବିଶ୍ୱବିଦ୍ୟାଳୟର ମାନ୍ୟତା । ଉତ୍ସବ ପାଳନର ଗୋଟିଏ ଦିନ ପୂର୍ବରୁ କୋରାପୁଟବାସୀଙ୍କୁ ଏହି ଉପହାର ଦେଇଥିଲେ ନବୀନ । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ସେଲିବ୍ରେସନ ମାହୋଲକୁ ଦ୍ବିଗୁଣିତ କରିଛି । ଦୀର୍ଘ ଦିନର ଦାବି ପୂରଣ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅବିଭକ୍ତ କୋରାପୁଟ ଜିଲ୍ଲାର ବୁଦ୍ଧିଜୀବୀ ତଥା ଛାତ୍ରଛାତ୍ରୀ । ୧୯୪୭ ମସିହାରେ ସ୍ଥାପିତ ବିକ୍ରମଦେବ ମହାବିଦ୍ୟାଳୟରେ ଏବେ ୧୬ଟି ବିଭାଗରେ ପିଜି, ୧୭ଟିରେ ୟୁଜି ସହ ବିବିଏ, ବିସିଏ ଓ ବିଏଡ୍ ପାଠ୍ୟକ୍ରମ ଜାରି ରହିଛି । ଏବେ ୪ହଜାର ଛାତ୍ରଛାତ୍ରୀ ଏଠାରେ ପଢୁଛନ୍ତି।

ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ କଲେଜ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ହୋଇଛି । ଏବେ ନୂଆ ବିଶ୍ୱବିଦ୍ୟାଳୟ ହେବା ଦ୍ଵାରା କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ହଜାର ହଜାର ଛାତ୍ରଛାତ୍ରୀ ଉପକୃତ ହେବେ। ଦକ୍ଷିଣ ଓଡ଼ିଶାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଏହା ଏକ ମାଇଲଷ୍ଟୋନ୍ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ସେପଟେ ଆଜି ଜିଲ୍ଲାରେ ୧୫୯୬ କୋଟି ଟଙ୍କାର ୧୨୩ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି । ଏହାଦ୍ଵାରା କୋରାପୁଟ ଜିଲ୍ଲା ବିକାଶ କ୍ଷେତ୍ରରେ ଶିଖର ଛୁଇଁବ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସହ ବ୍ୟାପକ ପ୍ରସ୍ତୁତି କରାଯାଇଛି ।