ଆଜି ବିଦେଶଗସ୍ତରୁ ଫେରିବେ ମୁଖ୍ୟମନ୍ତ୍ରୀ, ୧୦ ଦିନିଆ ବିଦେଶଗସ୍ତରେ ଦେଖିବାକୁ ମିଳିଛି ନବୀନ କ୍ରେଜ

ଦୁବାଇ: ଆଜି ବିଦେଶଗସ୍ତରୁ ଫେରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋମ ଗସ୍ତ ପରେ ଦୁବାଇରେ ସଫଳତାର ସହ ମେକ ଇନ ଓଡ଼ିଶା କନକ୍ଲେଭ ଆୟୋଜନ ପରେ ଦିଲ୍ଲୀ ଫେରୁଛନ୍ତି ମୁଖ୍ୟମନ୍ତ୍ରୀ । ପରେ ସେଠାରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି । ବିଦେଶଗସ୍ତ ସମୟରେ ସବୁଠି ଦେଖବାକୁ ମିଳିଛି ନବୀନଙ୍କ କ୍ରେଜ । ୟୁରୋପ ମହାଦେଶରେ ପ୍ରବାସୀ ଓଡ଼ିଆଙ୍କ ସହିତ ହେଉ କି ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମରେ ଓଡ଼ିଶାର ସାମଗ୍ରୀକ ବିକାଶର ଚିତ୍ର ହେଉ । ସବୁଠି ଦେଖିବାକୁ ମିଳିଛି ନବୀନଙ୍କ ସ୍ୱତନ୍ତ୍ର ଛାପ । ଭାର୍ଟିକାନ ସିଟିରେ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପୋପଙ୍କୁ ସାକ୍ଷାତ କରିଥିଲେ । ଦୁବାଇରେ ସଫଳତାର ସହିତ ଆୟୋଜିତ ହୋଇଛି ମେକ ଇନ୍ ଓଡ଼ିଶା କନକ୍ଲେଭ । ପୁଞ୍ଜିନିବେଶ ପାଇଁ ଓଡ଼ିଶା କାହିଁକି ବେଷ୍ଟ ସେ ବିଷୟରେ ନବୀନ ବିସ୍ତୃତ ଭାବେ ବୁଝାଇଛନ୍ତି । ବଡ଼ବଡ଼ କମ୍ପାନୀର ମୁଖ୍ୟଙ୍କ ସହ ଓ୍ବାନ୍‌ ଟୁ ଓ୍ବାନ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱରରେ ଡିସେମ୍ବର ମାସରେ ହେବାକୁ ଯାଉଥିବା ମେକ ଇନ ଓଡ଼ିଶାର ତୃତୀୟ ସଂସ୍କରଣରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ମଧ୍ୟପ୍ରାଚ୍ୟର ନିବେଶକଙ୍କୁ ନିମନ୍ତ୍ରଣ କରିଛନ୍ତି । ମେକ ଇନ ଓଡ଼ିଶା ଦୁବାଇ ଚାପ୍ଟରରୁ ୨୧ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ଆସିଥିବାବେଳେ ଏହାଦ୍ୱାରା ରାଜ୍ୟରେ ୧୯ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ମୁଖ୍ୟମନ୍ତ୍ରୀଙ୍କ ୧୦ ଦିନିଆ ବିଦେଶଗସ୍ତ ଅନେକ ଗୁରୁତ୍ୱ ବହନ କରିଥିବାବେଳେ ବିଭିନ୍ନ କ୍ଷେତ୍ରରେ ସଫଳତା ମିଳିଛି ।