ଆଜିଠୁ ବିଜୁ ବାବୁଙ୍କ ସାହାସ ଓ ଉଦ୍ଦାମତାକୁ ଦେଖିବ ଓଡ଼ିଶା, ଡାକୋଟାକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସରିଲା ଅପେକ୍ଷା । ଆଜିଠୁ ବିଜୁ ବାବୁଙ୍କ ପ୍ରିୟ ଡାକୋଟାକୁ ଦେଖିବେ ଓଡ଼ିଶାବାସୀ । ପ୍ରବାଦ ପୁରୁଷଙ୍କ ବୀରତ୍ୱର ମୁକସାକ୍ଷୀ ଡାକୋଟାକୁ ପାଖରୁ ଦେଖିବେ ଜନସାଧାରଣ । ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ପୂର୍ଣ୍ଣ ରୂପ ନେଇଛି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରିୟ ଡାକୋଟା । ବିଜୁଙ୍କ ଜୟନ୍ତୀ ଅବସରରେ ଏହାକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୦ ମିଟର ପରିଧିର ମାର୍ବଲ୍ ଓ ଗ୍ରାନାଇଟ୍ ଖଚିତ ପ୍ଲାଟଫର୍ମ ଉପରେ ଦଣ୍ଡାୟମାନ ହୋଇଛି ବିଶାଳ ଡାକୋଟା । ଦ୍ୱିତୀୟ ବିଶ୍ୱଯୁଦ୍ଧ, ସ୍ୱାଧୀନତା ମୁକ୍ତି ସଂଗ୍ରାମ, କାଶ୍ମୀରରେ ଅନୁପ୍ରବେଶକୁ ପ୍ରତିହତ କରିବା ପାଇଁ ବିଜୁ ବାବୁ ଯେପରି ଅଦମ୍ୟ ସାହାସ ଦେଖାଇଥିଲେ ପୂର୍ବରୁ ସେସବୁ କାଗଜ କଲମରେ କେବଳ ପଢ଼ିବାକୁ ମିଳୁଥିଲା । ଏଣିକି ବାସ୍ତବରେ ଏହାକୁ ଦେଖିବେ ଜନସାଧାରଣ ।

ଡାକୋଟାର ଇଞ୍ଜିନ, ସହିତ ଫ୍ୟୁଜ୍ ଲସ୍କୁ ମୂଳ ରଙ୍ଗ ହାଲୁକା ଗ୍ରେ ରଙ୍ଗ କରାଯାଇଛି । କୋଲକାତାରୁ ଡାକୋଟାରୁ ଆଣିବା ପରେ ବିମାନର ବହୁ ଅଂଶ ନଷ୍ଟ ହୋଇଯାଇଥିଲା । ଜାନୁଆରୀ ୨୦ ତାରିଖରୁ ଭୁବନେଶ୍ବର ବିମାନବନ୍ଦର ହ୍ୟାଙ୍ଗରରେ ମରାମତି ପାଇଁ ଦିନ ରାତି ଏକ କରିଦେଇଥିଲେ ଏଆର୍ଡିସିର ପ୍ରାୟ ୧୫୦ ଇଞ୍ଜିନିୟର । ଫେବ୍ରୁଆରୀ ୨୪ ତାରିଖରେ ବେସ୍ ଅଣାଯିବା ପରେ ଗତ ୨୮ ତାରିଖରେ ଏହାର ଡେଣା ଓ ଫ୍ୟୁଜ୍ ଲସ୍କକୁ ଖଞ୍ଜାଯାଇଛି । ଏପରିକି ନଷ୍ଟ ହୋଇଥିବା ଟାୟାରକୁ ପୁଣି ମରାମତି କରାଯାଇ ଅରିଜିନାଲ ଲୁକ୍ ଦିଆଯାଇଛି ।