ରାଜ୍ୟରେ ନିବେଶ ବଢ଼ାଇବାକୁ ରୋଡ୍ ସୋ’ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ହେବ ଶିଳ୍ପପତିଙ୍କ ପୁଞ୍ଜିନିବେଶର ନେକ୍ସଟ ଡେଷ୍ଟିନେସନ । ରାଜ୍ୟରେ ନିବେଶ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ କରିବେ ରୋଡ୍‌ ସୋ’ । ବିଭିନ୍ନ ରାଜ୍ୟର ରାଜଧାନୀକୁ ଗସ୍ତ କରିବ ଓଡ଼ିଶା ଟିମ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଶିଳ୍ପ ମନ୍ତ୍ରୀ, ଶିଳ୍ପ ସଚିବ, ପିପି ଇଣ୍ଡିଆ ସଦସ୍ୟ ରହିବେ । ଚଳିତ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏ ହେବ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ । ୨୦୧୬ରୁ ଆରମ୍ଭ ହୋଇଥିବା ଏହି ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ୨୦୧୮ରେ ହୋଇଥିଲା । କିନ୍ତୁ କରୋନା ପାଇଁ ୨୦୨୦ରେ ହୋଇପାରିନଥିଲା । ତେବେ ଚଳିତ ଥର ଏହି କାର୍ଯ୍ୟକ୍ରମ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ।

କିଭଳି ଓଡ଼ିଶାକୁ ସର୍ବାଧିକ ନିବେଶ ଆସିବ, ସେଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରଥମ ରୋଡ ସୋ’ ହେବାକୁ ଯାଉଥିବା କହିଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ । ବିଭିନ୍ନ ରାଜ୍ୟର ରାଜଧାନୀରେ ରୋଡ ସୋ’ ଅନୁଷ୍ଠିତ ହେବ । ସେଠାକାର ଚାମ୍ବର୍ସ ଅଫ କମର୍ସ ସହ ଆଲୋଚନା ସହ ବିଭିନ୍ନ ଶିଳ୍ପପତିଙ୍କ ସହ ହେବ ୱାନଟୁ ୱାନ୍ ଆଲୋଚନା । ଓଡ଼ିଶା ପୁଞ୍ଜି ନିବେଶ ପାଇଁ ଉତ୍କୃଷ୍ଟ ବେଲି ଶିଳ୍ପପତିଙ୍କୁ ବୁଝାଇବା ସହ ସରକାର ଶିଳ୍ପପତିଙ୍କୁ କେଉଁ ସୁବିଧା ଯୋଗାଇବେ ତାହା ଅବଗତ କରାଯିବ । ଏନେଇ ମନ୍ତ୍ରୀଙ୍କ ନେତୃତ୍ବରେ ଜୁଲାଇ ୧୮ରେ ଗୁଜରାଟ ଅମହମ୍ମଦାବାଦରେ କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଦେଢ଼ ଶହ ଲୋକ ସାମିଲ ହୋଇଥିବା ବେଳେ ୨୨ଜଣ ଶିଳ୍ପପତିଙ୍କ ସହ ୱାନଟୁ ୱାନ୍ ଆଲୋଚନା ହୋଇଥିଲା । ସରକାର ଜମି, ପାଣି, ବିଦ୍ୟୁତ ଯୋଗାଇବେ ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ ଗୁଜରାଟରୁ ଅଧିକ ପୁଞ୍ଜିପତି ନିବେଶ କରିବେ ବୋଲି ଆଶା ଥିବା କହିଛନ୍ତି ମନ୍ତ୍ରୀ ।