ବଡ଼ଦାଣ୍ଡରେ ରଥ ଟାଣିଲେ ମୁଖ୍ୟମନ୍ତ୍ରୀ

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଦୁଇ ବର୍ଷ ପରେ ରଥଯାତ୍ରା ଦେଖିବାକୁ ଭକ୍ତଙ୍କୁ ଅନୁମତି ମିଳୁଥିବାରୁ ଜନସମୁଦ୍ରରେ ପରିଣତ ହୋଇଛି ବଡ଼ଦାଣ୍ଡ । ତେବେ ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ପୁରୀ ଯାଇ ରଥ ଟାଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ମଧ୍ୟ ରଥ ଟାଣିଛନ୍ତି ।

ଆଜି ପୁରୀ ଗସ୍ତରେ ଯାଇ ପ୍ରଥମେ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ପଟେ ନିର୍ମିତ ମଡେଲ ପ୍ୟାଚ୍ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ । ଦକ୍ଷିଣ ଦ୍ୱାର ନିକଟରେ ପରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବରିଷ୍ଠ ଅଧିକାରୀଙ୍କ ସହ ଏହି ନିର୍ମାଣ କାମକୁ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ପୂର୍ଣ୍ଣ ଉତ୍କଳୀୟ ଢାଞ୍ଚାରେ ଖଣ୍ଡୋଲାଇଟ୍ ପଥରରେ କାମ ହୋଇଛି । ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ଦେଖାଯାଉଥିବା ଏହି ସ୍ଥାନ ସମସ୍ତଙ୍କୁ ବିମୋହିତ କରୁଛି । ସ୍ଥାନୀୟ ଲୋକ ମଧ୍ୟ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିବା ବେଳେ ପୂର୍ଣ୍ଣାଙ୍ଗ ପ୍ରକଳ୍ପ ନିଶ୍ଚିତ ଭାବେ ଚିତାକର୍ଷକ ହେବ ।