ସହିଦ ସରୋଜ ଦାସଙ୍କ ଭାଇଙ୍କ ପିଠି ଥାପୁଡ଼ାଇଦେଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର : ସହିହ ଯବାନଙ୍କୁ ଓଡ଼ିଶା ମାଟିରେ ଗାର୍ଡ ଅଫ ଅନର ଦିଆଯାଇଛି । ଭୁବନେଶ୍ବର ବିମାନ ବନ୍ଦରରେ ସହିଦ ଓଡ଼ିଆ ଯବାନ ସରୋଜ ଦାସଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ଦିଆଯାଇଛି ଗାର୍ଡ ଅଫ୍ ଅନର  । ସହିଦ ସରୋଜଙ୍କ ବଡଭାଇ ମନୋଜ ଦାସ  ବିମାନ ବନ୍ଦରରେ ଉପସ୍ଥିତ ରହିଥିଲେ । ସାନ ଭାଇକୁ ଦେଖି ଭୋ ଭୋ ହୋଇ କାନ୍ଦିଉଠିଥିଲେ ବଡ ଭାଇ ମନୋଜ ଦାସ । ଆଖିରେ ଅସୁମାରି ଲୁହ ଛାତିରେ ଭରିରହିଥିଲା ଅକୁହା କୋହ । କେମିତି ସେ ଅବୁଝା ମନକୁ ବୁଝାଇବେ ଯେ, ଏ ଦେଶ ମାତୃକା ପାଇଁ ସହିଦ ହୋଇଯାଇଥିବା ଭାଇକୁ ହରାଇ ହତବାକ୍ ହୋଇପଡ଼ିଛନ୍ତି । ସେହି ଅକୁହା କୋହକୁ ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିଠି ଥାପୁଡ଼ାଇଦେଇଥିଲେ କୋଳେଇ ନେଇଥିଲେ ମନୋଜକୁ । ସହିଦ ଯବାନର ଭାଇଙ୍କୁ ସାନ୍ତ୍ୱନା ଦେବା ସହ ପରିବାର ପ୍ରତି ଗଭିର ସମବେଦନା ଜଣାଇଥିଲେ । ସେହି ସମୟର ଦୃଶ୍ୟ ଏମିତି ଥିଲା ଯିଏ କେହିବି ଦେଖୁଛନ୍ତି ଆଖିର ଲୁହକୁ ରୋକି ପାରୁନାହାନ୍ତି ।

ସେହିପରି ଓଡ଼ିଆ ଯବାନ ସରୋଜ ଦାସଙ୍କ ଭାଇର ଆଖିର ଲୁହକୁ ଦେଖି 5T ସଚିବ ଭି.କେ. ପାଣ୍ଡିଆନଙ୍କର ଆଖି ମଧ୍ୟ ଲୁହରେ ଜକେଇ ଆସିଥିଲା । ସହିଦ ଯବାନଙ୍କ ବଡ଼ ଭାଇ ମନୋଜର ହାତକୁ ଧରି ସାନ୍ତ୍ୱନା ଦେଇଥିଲେ । ଏହାପରେ ପରେ ଜନ୍ମମାଟିକୁ ଫେରିଛି ସହିଦ ଓଡ଼ିଆ ଯବାନ ସରୋଜ ଦାସଙ୍କ ପାର୍ଥିବ ଶରୀର । ଢେଙ୍କାନାଳରେ ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କ ଦ୍ବାରା ଶ୍ରଦ୍ଧାଞ୍ଜଳି ଦିଆଯିବ । ପରେ କାମାକ୍ଷାନଗର ରୋଡରେ ପୈତୃକ ଘର କେନ୍ଦୁଢ଼ିପ ଗାଁରେ ପହଞ୍ଚିବ ପାର୍ଥିବ ଶରୀର । ସେଠାରୁ ବିଶାଳ ଶୋଭାଯାତ୍ରାରେ ନିଆଯାଇ ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଅନ୍ତ୍ୟେଷ୍ଟି କ୍ରିୟା କରାଯିବ । ଏଥିପାଇଁ ଗାଁ ଲୋକ ଓ ପ୍ରଶାସନ ପ୍ରସ୍ତୁତି କରିଛନ୍ତି ।