ଉମରକୋଟ ରାସ୍ତାରେ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟଣା, ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନବରଙ୍ଗପୁର ଜିଲ୍ଲା ଝରିଗାଁ ଉମରକୋଟ ରାସ୍ତାରେ ସଡ଼କ ଦୁର୍ଘଟଣାରେ ୩ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ତିନି ଲକ୍ଷ  ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଦୁର୍ଘଟଣାରେ ଆହତଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ  ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ନବରଙ୍ଗପୁର ଜିଲ୍ଲା ଉମରକୋଟ ବାସିନୀ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା । ଭାରସାମ୍ୟ ହରାଇ ଗଛରେ ପିଟିହୋଇଥିଲା କାର୍ । ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ବିଳମ୍ବିତ ରାତି ପ୍ରାୟ ସାଢେ ଦୁଇଟାରେ ଦୁର୍ଘଟଣା ଘଟିଥିଲା । ମୃତକଙ୍କ ହେଲେ ସୁରେଶ ମଣ୍ଡଳ, ଗୌରାଙ୍ଗ ରାୟ ଓ ସତ୍ୟରଞ୍ଜନ ବେପାରୀ । ମୃତକଙ୍କ ଘର ରାଇଘର ଓ ଉମରକୋଟ ଅଞ୍ଚଳରେ । ସମସ୍ତେ ଛତିଶଗଡ଼ ଜଗଦଲପୁରରୁ ମେଡିକାଲ କାମ ସାରି ଉମରକୋଟର ଅଞ୍ଚଳା ଗ୍ରାମକୁ ଫେରୁଥିଲେ । ଗୁରୁତର ତରୁଲତା ବେପାରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।