ସୁନ୍ଦରଗଡ଼ରେ ୧୫ଶହ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁନ୍ଦରଗଡ଼ ଗସ୍ତ କରି ୧୫ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ଜୁହାର କରି ସୁନ୍ଦରଗଡବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ମୁଖ୍ୟମନ୍ତ୍ରୀ ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ । ଏହି ଅବସରରେ ସେ ବିଜୁ ବାବୁଙ୍କୁ ସ୍ମରଣ କରି ବକ୍ତବ୍ୟ ଆରମ୍ଭ କରିଥିଲେ ।

ସୁନ୍ଦରଗଡ଼ ଆସିଲେ ବିଜୁ ବାବୁଙ୍କ କଥା ମନେ ପଡେ । ସୁନ୍ଦରଗଡ଼ ବିଶେଷ କରି ଇସ୍ପାତ କାରାଖାନା ପାଇଁ ବିଜୁ ବାବୁଙ୍କ ସ୍ୱତନ୍ତ୍ର ଅବଦାନ ରହିଛି । କ୍ରୀଡା ପ୍ରତି ରାଉରକେଲାର ଅବଦାନ ମଧ୍ୟ ଖୁବ ଅଧିକ । ପ୍ରସ୍ତାବିତ ମେଡିକାଲ କଲେଜ ଖୁବ ଶୀଘ୍ର ଲୋକଙ୍କୁ ସେବା ଯୋଗାଇବ । ସୁନ୍ଦରଗଡ଼କୁ ଶିଳ୍ପର ହବ୍‌ କରାଇବାକୁ ସ୍ୱପ୍ନ ଦେଖିଥିଲେ ବିଜୁ ବାବୁ । ବିଜେଡି କାମରେ ବିଶ୍ୱାସ କରେ ।

ଓଡ଼ିଶାବାସୀଙ୍କ ସେବା ଯୋଗାଇବାରେ ଦଳ ବିଶ୍ୱାସ କରେ । ରାଜନୀତିରେ ନୁହେଁ । ସୁନ୍ଦରଗଡ଼ର ବିକାଶ ପାଇଁ ଦଳ କାମ କରୁଛି । ଏବଂ କାମ କରି ଚାଲିଥିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।  ଆଜି ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ରେ ପହଞ୍ଚି ସୁନ୍ଦରଗଡ଼ ଷ୍ଟାଡିୟମରେ ୪୯୪ କୋଟି ୪୩ ଲକ୍ଷ ଟଙ୍କାର ୪୧ଟି ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି ।

ଆଇଟିଡିଏ ସୁନ୍ଦରଗଡ଼ ଦ୍ଵାରା ନିର୍ମିତ ୧୫ଟି ଶିକ୍ଷା ଭିତ୍ତିଭୂମି ପ୍ରକଳ୍ପ, ୪ଟି ସଡ଼କ ପ୍ରକଳ୍ପ, ୪ଟି ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପ ପରି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି । ସେହିପରି ୧ ହଜାର ୩୨ କୋଟିରୁ ଅଧିକ ଟଙ୍କାରେ ନିର୍ମିତ ହେବାକୁ ଥିବା ୧୦୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

 

 

Leave a Reply