ନୂତନ ଓଡ଼ିଶାର ନିର୍ମାଣ, ମେକ୍ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ଓଡ଼ିଶା ଶିଳ୍ପ ଜଗତରେ ସୃଷ୍ଟି ହେବ ନୂଆ ଅଧ୍ୟାୟ । ଭୁବନେଶ୍ୱରରେ ଲାଗିବ ଦେଶ ବିଦେଶର ପ୍ରମୁଖ ଶିଳ୍ପପତିଙ୍କ ଭିଡ଼ । ମେକ-ଇନ୍-ଓଡ଼ିଶା କନକ୍ଲେଭ ତୃତୀୟ ସଂସ୍କରଣ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱରର ଜନତା ମଇଦାନରେ ଅନୁଷ୍ଠିତ ହେଉଛି ଏହି କନକ୍ଲେଭ୍ । ଉଦଘାଟନ ପରେ ପ୍ରଦର୍ଶନୀ ବୁଲି ଦେଖୁଛନ୍ତି ମୁଖ୍ୟମନ୍ତ୍ରୀ । ସ୍ୱତନ୍ତ୍ର ଗାଡ଼ିରେ ପ୍ରଦର୍ଶନୀ ବୁଲୁଛନ୍ତି ମୁଖ୍ୟମନ୍ତ୍ରୀ ।

୫ ଦିନିଆ ମେଗା ବିଜନେସ୍ ସମିଟରେ ଯୋଗଦେବା ପାଇଁ ଏବେ ସୁଦ୍ଧା ୧୧ ହଜାରରୁ ଅଧିକ ପଂଜୀକରଣ ହୋଇଛି । ମୋଟ୍ ୩୮ଟି ଇଭେଣ୍ଟରେ ୧୨୪ ଜଣ ବକ୍ତା ଯୋଗଦେବେ । ପାରମ୍ପାରିକ ଶିଳ୍ପ ବ୍ୟତୀତ ନୂଆ ନୂଆ କ୍ଷେତ୍ରରେ ବଡ଼ ନିବେଶ ପାଇଁ ଏଥର ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ମେଟାଲ, ମିନେରାଲ, ପେଟ୍ରୋକେମିକାଲ୍ସ, ଟେକ୍ସଟାଇଲ, ଫୁଡ୍ ପ୍ରସେସିଙ୍ଗ, ଅକ୍ଷୟ ଶକ୍ତି, ପର୍ଯ୍ୟଟନ ଓ ଆଇଟି କ୍ଷେତ୍ରକୁ ଫୋକସ୍ ଦିଆଯାଇଛି ।

୧୩୦ରୁ ଅଧିକ ବଡ଼ ଓ ମଧ୍ୟମ ଶିଳ୍ପ କନକ୍ଲେଭରେ ସାମିଲ ହେବାକୁ ସହମତି ପ୍ରକାଶ କରିଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ଆର୍ସେଲର ମିତ୍ତଲ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ମିତ୍ତଲ, କୁମାର ମଙ୍ଗଲମ ବିର୍ଲା, ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରଓ୍ବାଲ, ସଜ୍ଜନ ଜିନ୍ଦଲ, ଟାଟା ଷ୍ଟିଲ MD ଟିଭି ନରେନ୍ଦ୍ରନ, JSPL ମୁଖ୍ୟ ନବୀନ ଜିନ୍ଦଲ ପ୍ରମୁଖ । କୋଭିଡ୍ ସମୟରେ ରାଜ୍ୟକୁ ୩ ଲକ୍ଷ କୋଟି ଟଙ୍କାର ନିବେଶ ଆସିଥିବାରୁ ଏଥର ରେକର୍ଡ ସଂଖ୍ୟକ ନିବେଶ ଆସିବ ବୋଲି ଆଶା ରଖିଛି ଶିଳ୍ପ ବିଭାଗ । ପୂର୍ବରୁ ଦେଶର ବିଭିନ୍ନ ସହରରେ ରାଜ୍ୟ ସରକାରଙ୍କ ପକ୍ଷରୁ ରୋଡ୍ ସୋ’ର ଆୟୋଜନ କରାଯାଇଥିଲା । ଏଥିରେ ବହୁ ବଡ଼ ବଡ଼ ଶିଳ୍ପପତି ସାମିଲ ହୋଇ ସେମାନଙ୍କର ସମର୍ଥନ ଦେଇଥିଲେ ।  ଚୀନ୍, ଅଷ୍ଟ୍ରେଲିଆ, ଜାପାନ, ନରଓ୍ବେ, ନେପାଳ, ବାଂଲାଦେଶ ଓ ଥାଇମାଣ୍ଡ ପ୍ରଭୃତି ଦେଶର ନିବେଶକ କନକ୍ଲେଭରେ ଯୋଗଦେବାକୁ ସହମତି ପ୍ରକାଶ କରିଛନ୍ତି ।