ରାଜ୍ୟରେ ଯାତାୟତ ହେବ ସୁବିଧା, ଆମ ବସଷ୍ଟାଣ୍ଡର ଶିଳାନ୍ୟାସ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର : ଓଡିଶାରେ ଯାତ୍ରା ହେବ ସୁଗମ  । ପ୍ରତିଟି ସ୍ଥାନରେ ଯାତ୍ରୀ ପାଇବେ ଅତ୍ୟାଧୁନିକ ବସଷ୍ଟାଣ୍ଡର ସୁବିଧା  । ଆଜି ରାଜ୍ୟର ୨୬ଟି ଜିଲ୍ଲାରେ ୧୨୪ ଟି ନୂଆ ବସଷ୍ଟାଣ୍ଡର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ସେହିଭଳି  ୧୩ଟି ଜିଲ୍ଲାରେ ୨୧ଟି ନୂଆ ବସଷ୍ଟାଣ୍ଡର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ  । ଏହାସହ ମୋ ପରିବହନ ସେବା ଓ ଏମ୍ ପରିବହନ ଆପ୍ ସେବାର ଶୁଭରାମ୍ଭ  କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଏହାସହ ସୁବାହକ ପ୍ରଶିକ୍ଷଣ କେନ୍ଦ୍ରର ଶୁଭ ଉଦଘାଟନ ଓ ଲୋକାର୍ପଣ କରିଛନ୍ତି । ଡ୍ରାଇଭର ମାନଙ୍କୁ ଗାଡି ଚଳାଇବା କ୍ଷେତ୍ରରେ ଅଧିକ ଦକ୍ଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ସୁ-ବାହକ ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନାରେ ୫୦ ହଜାର ଡ୍ରାଇଭରଙ୍କୁ ପ୍ରଶିକ୍ଷଣ ଦିଆଯିବ । ଗଞ୍ଜାମର ପାଲୁର ଠାରେ ଏକ ଡ୍ରାଇଭିଂ ଟ୍ରେନିଂ ସେଣ୍ଟର ଉଦ୍‌ଘାଟନ କରିଥିଲେ ।  ସଡକ ଓ ସଡକ ବ୍ୟବହାରକରୀ ତଥା ଯାତ୍ରୀ ମାନଙ୍କ ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ବ ଆରୋପ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ  ଭଲ ପରିବହନ ବ୍ୟବସ୍ଥା ଏକ ଉନ୍ନତ ଅର୍ଥନୀତି ପାଇଁ ମାର୍ଗ ପରିଷ୍କାର କରିଥାଏ । ବିଭିନ୍ନ ସଂସ୍ଥାଗତ ସେବା ତଥା ସ୍କୁଲ, କଲେଜ, ହସ୍‌ପିଟାଲ ଆଦିର ସୁବିଧା ସହଜରେ ଉପଲବ୍ଧ ହୋଇପାରେ। ଏକ ଗତିଶୀଳ ସାମାଜିକ ଓ ଅର୍ଥନୈତିକ ସମାଜ ଗଠନ ଦିଗରେ ଏହା ଏକ କାଟାଲିଷ୍ଟ (Catalyst) ଭାବରେ କାମ କରିଥାଏ ।

ଲୋକଙ୍କୁ ଉନ୍ନତମାନର ପରିବହନ ସେବା ଯୋଗାଇ ଦେବା ପାଇଁ ଉଦ୍ୟମ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ପରିବହନ ବିଭାଗକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଗତ ୨୩ ବର୍ଷ ଧରି ରାଜ୍ୟରେ ସୁଶାସନର ଧାରା ଅବ୍ୟାହତ ରହିଛି । ଗମନାଗମନର ବିକାଶ ପାଇଁ ରାଜ୍ୟରେ ସଡକ ପରିବହନ ସହିତ ରେଳ ଓ ଆକାଶମାର୍ଗରେ ପରିବହନର ବିକାଶ ପାଇଁ ଉଦ୍ୟମ ଜାରି ରହିଛି ବୋଲି ସେ କହିଥିଲେ । ପୁରୀ ଠାରେ ଇଲ୍‌କ୍ଟ୍ରୋନିକ୍‌ସ ଓ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ସୋନପୁର ଠାରେ ସଂସଦୀୟ ବ୍ୟାପାର ଓ ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରମୁଖ ଉପସ୍ଥିତ ରହି ପରିବହନ ବ୍ୟବସ୍ଥା ଓ ବସ୍‌ଷ୍ଟାଣ୍ଡ ଭିତ୍ତିଭୂମି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଉଚ୍ଚପ୍ରଶଂସା କରିଥିଲେ । 5T ସଚିବ  ଭି  କେ  ପାଣ୍ଡିଆନ୍  କାର୍ଯ୍ୟକ୍ରମ  ସଂଚାଳନା କରିଥିଲେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଓ.ଏସ୍‌.ଆର.ଟି.ସିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟ  ଶାସନ ସଚିବ  ପ୍ରଦୀପ  ଜେନା  ଉନ୍ନୟନ  କମିଶନର  ଶ୍ରୀମତୀ  ଅନୁ  ଗର୍ଗ  ଓ  ବରିଷ୍ଠ  ଅଧିକାରୀମାନେ  ଉପସ୍ଥିତ  ଥିଲେ ।